Categories: ବାଣିଜ୍ୟ

ଶେଷ ହେଲା ଅଏଲ ପ୍ରାଇସ୍‌ ଓ୍ବାର

ନୂଆଦିଲ୍ଲୀ,୧୪।୪: ଗତ କିଛିଦିନ ଧରି ଲାଗି ରହିଥିବା ଅଏଲ ପ୍ରାଇସ୍‌ ଓ୍ବାର ବା ଇନ୍ଧନ ମୂଲ୍ୟ ଜନିତ ଯୁଦ୍ଧର ଅନ୍ତ ଘଟିଛି। ବିଶ୍ୱର ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହେବା ସହ ଅଏଲ ପ୍ରାଇସ ଓ୍ବାର ଶେଷ ଘଟିଥିବା ଜଣାପଡିଛି। ଉତ୍ପାଦନ କମାଇବା ଲାଗି ଓପେକ୍‌ ପ୍ଲସ୍‌ ଦେଶ ସମୂହ ସହମତି ପ୍ରକାଶ କରିଛନ୍ତି। ଏଥିଲାଗି ଗତ ଗୋଟିଏ ସପ୍ତାହ ଧରି ମାରାଥନ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଥିଲା। ଏହି ଦେଶଗୁଡିକର ତୈଳମନ୍ତ୍ରୀ ଏବଂ ବିଶ୍ୱ ଲିଡରମାନେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।
ଚୁକ୍ତି ମୁତାବକ ଓପେକ ପ୍ଲସ୍‌ ଦେଶ ସମୂହ ଦୈନିକ ଉତ୍ପାଦନକୁ ୯.୭ ନିୟୁତ ବ୍ୟାରେଲକୁ ଖସାଇବେ। ଦୈନିକ ୧୦ ନିୟୁତ ବ୍ୟାରେଲ ଉତ୍ପାଦନ ଲାଗି ଏହି ଉତ୍ପାଦନକାରୀ ଦେଶ ସମୂହ ପୂର୍ବରୁ ଯୋଜନା କରିଥିଲେ। ମେକ୍ସିକୋ କୂଟନୈତିକ ବିଜୟ ହାସଲ କରିଥିବା ବେଳେ ମାତ୍ର ଏକ ଲକ୍ଷ ବ୍ୟାରେଲ ଉତ୍ପାଦନ କମାଇବ। ଏବେ ଅଶୋଧିତ ତୈଳ ବଜାରକୁ କରୋନା କ୍ଷତିଗ୍ରସ୍ତ କରିଛି। ବିମାନ ସେବା ଏବଂ ପରିବହନ ଠପ୍‌ ହୋଇଥିବାରୁ ଗ୍ୟାସୋଲିନ ଏବଂ ଅଶୋଧିତ ତୈଳ ଚାହିଦା ମାତ୍ରାଧିକ ଖସିଯାଇଛି। ଚାହିଦା ୧୮ ମାସର ସର୍ବନିମ୍ନ ସ୍ତରକୁ ଚାଲିଯାଇଥିବା ସୂଚନା ରହିଛି। ଏବେ ବିଶ୍ୱର ତୈଳ ବଜାର ଚାହିଦା ଏବଂ ଯୋଗାଣକୁ ନେଇ ଚିନ୍ତିତ ରହିଛି। ଗୋଟିଏ ପଟେ ଏହା ଓପେକ ଦେଶ ସମୂହଙ୍କ ଲାଗି ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି।
ଗୁରୁବାର ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ ଅଶୋଧିତ ତୈଳ ଦର ୯%ରୁ ଊର୍ଦ୍ଧ୍ୱ ହ୍ରାସ ଘଟିଛି। ଏହାବାଦ ଜି-୨୦ ତୈଳ ଉତ୍ପାଦନକାରୀ ଦେଶ ସମୂହ ଉତ୍ପାଦନ ସୀମାକୁ କମାନ୍ତୁ ବୋଲି ଓପେକ୍‌ ପ୍ଲସ୍‌ ଦେଶ ସମୂହ ମଧ୍ୟ ଦାବି ରଖିଛନ୍ତି। ତୈଳ ବଜାରରେ ଯେଭଳି ସ୍ଥିରତା ଲାଗି ରହିବ ସେ ନେଇ ଚେଷ୍ଟା ଜାରି ରହିବ ବୋଲି ଦେଶଗୁଡିକ ସ୍ପଷ୍ଟ କରିଛନ୍ତି।

Share