Categories: ବାଣିଜ୍ୟ

ଶେଷ ହୋଇପାରେ ଆମେରିକା-ଚାଇନା ଟ୍ରେଡଓ୍ବାର

ନୂଆଦିଲ୍ଳୀ,୨୨-୧୨: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ। ଟ୍ରେଡ୍‌ ଡିଲ୍‌କୁ ନେଇ ଚାଇନାର ରାଷ୍ଟ୍ରପତି ଜି.ଜିନପିଙ୍ଗଙ୍କ ସହ ଆଲୋଚନା ସକାରାତ୍ମକ ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କହିଛନ୍ତି। ଗତ ୧୮ ମାସ ଧରି ଦୁଇ ଦେଶ ବାଣିଜ୍ୟ ଯୁଦ୍ଧରେ ଲିପ୍ତ ରହିଥିଲେ। ହେଲେ ଚଳିତ ମାସ ପ୍ରଥମ ସପ୍ତାହରେ ଦୁଇ ପକ୍ଷ ଚୁକ୍ତି ନେଇ ରାଜି ହେବା ସହ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଶେଷ କରିଥିଲେ। ଟ୍ରେଡ୍‌ ଡିଲ୍‌ ହେଲେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧର ଅନ୍ତ ହେବ ବୋଲି କୁହାଯାଉଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଟୁଇଟରେ କହିଛନ୍ତି ଯେ, ଚାଇନା ସହ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରାଯାଇଛି। ଚାଇନା ଆମେରିକାଠାରୁ କୃଷିଜାତ ସାମଗ୍ରୀ କିଣିବା ଆରମ୍ଭ କରିଛି। ଉକ୍ତ ଦେଶକୁ ବୃହତ୍‌ ମାତ୍ରାରେ କୃଷି ସାମଗ୍ରୀ ରପ୍ତାନି ପୁଣି ଥରେ ସ୍ଥିତାବସ୍ଥାକୁ ଫେରିବ। ଔପଚାରିକ ଭାବେ ଚୁକ୍ତି ସ୍ବାକ୍ଷର କରିବା ନେଇ ଯୋଜନା ରହିଛି। ଏହାବାଦ ଉତ୍ତର କୋରିଆ ଏବଂ ହଂକଂ ସହ କାରବାର ନେଇ ଆଲୋଚନା ହୋଇଥିବା ଟ୍ରମ୍ପ ଟୁଇଟରେ ସ୍ପଷ୍ଟ କରିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି କେବେ ସୁଦ୍ଧା ସ୍ବାକ୍ଷରିତ ହେବ ସେ ନେଇ ଟ୍ରମ୍ପ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ବାଣିଜ୍ୟ ଚୁକ୍ତି କେବଳ ଚାଇନା ଏବଂ ଆମେରିକା ଲାଗି ଲାଭକାରି ହେବ ନାହିଁ ବରଂ ଏହା ଦ୍ୱାରା ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ଲାଭବାନ ହେବେ। ଏହି ଚୁକ୍ତି ଭାରତ ଲାଗି ମଧ୍ୟ ସୁବିଧା ଆଣିବ। ବିଶ୍ୱର ଅର୍ଥ ବ୍ୟବସ୍ଥା ଆମେରିକା ଚାଇନା ବାଣିଜ୍ୟ ଯୁଦ୍ଧ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ଖବର ଆଶ୍ୱସ୍ତି ଆଣିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ଆମେରିକାରୁ ଆସୁଥିବା କେଉଁ ସାମଗ୍ରୀ ଉପରେ ଟିକସ କମିବ ସେ ନେଇ ଚାଇନା ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରିଛି।

Share