ଶେଷ ୪ ରାଉଣ୍ଡରେ ବଦଳିଗଲା ଫଳାଫଳ

ଉଦଳା,୨୫ା୫ (ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ଭାଜପାର ଭାସ୍କର ମଢେଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିିଜେଡିର ଶ୍ରୀନାଥ ସୋରେନ୍‌ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଏବଂ ଭାଜପା ମଧ୍ୟରେ କଡା ଟକ୍କର ହୋଇଥିଲା । ୨୫ ଟି ରାଉଣ୍ଡ ଗଣତି ମଧ୍ୟରୁ ୨୦ ରାଉଣ୍ଡ ପର୍ଯ୍ୟନ୍ତ ଶ୍ରୀନାଥ ୨୧୧୦ ଖଣ୍ଡ ଭୋଟ ପାଇ ଭାଜପାର ଭାସ୍କରଙ୍କଠାରୁ ଆଗରେ ରହିଥିଲେ। ୨୧ ରାଉଣ୍ଡ ପରେ ଭାସ୍କର ବିଜେଡିକୁ ଟକ୍କର ଦେବା ଆରମ୍ଭ କରିଥିଲେ। ୨୫ ରାଉଣ୍ଡ ସୁଦ୍ଧା ସେ ୧୦୭୦ ଖଣ୍ଡ ଭୋଟରେ ଆଗରେ ରହିଥିଲେ। ଏହି ଭୋଟ ବ୍ୟବଧାନକୁ ଅଧିକ ବଢାଇଥିଲା ପୋଷ୍ଟାଲ୍‌ ଭୋଟ । ଶେଷରେ ଶ୍ରୀନାଥଙ୍କୁ ୧୪୩୩ ଖଣ୍ଡ ଭୋଟରେ ଭାସ୍କର ପରାସ୍ତ କରି ବାଜିମାତ କରିଥିଲେ। ଶୁକ୍ରବାର ଭାଜପା ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା ଉଦଳା ବଜାର ପରିକ୍ରମା କରିଥିଲା। ଭାସ୍କର ତାଙ୍କ ପ୍ରତିକ୍ରିୟାରେ ଏହି ବିଜୟର ଶ୍ରେୟ ଭୋଟରଙ୍କୁ ଦେଇଛନ୍ତି। ଆଗାମୀ ଦିନରେ ସେ ଉଦଳା ନିର୍ବାଚନମଣ୍ଡଳୀରେ ପର୍ଯ୍ୟଟନ, ରେଳବାଇ, ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ର ପ୍ରତି ଗୁରୁତ୍ୱ ଦେବା ସହିତ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି।