Categories: ଖେଳ

ଶୋକ ପ୍ରକାଶ କଲେ ରୋନାଲ୍ଡୋ, କୋହଲି

କାଲିଫର୍ନିଆ,୨୭।୧- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥି ଯୋଗୁ କ୍ରୀଡ଼ା ଜଗତରେ ଖେଳିଯାଇଛି ଶୋକର ଛାୟା। ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କଠାରୁ ଆରମ୍ଭ କରି ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। କୋହଲି ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ବ୍ରାଏଣ୍ଟଙ୍କ ମୃତ୍ୟୁ ଖବର ପାଇ ମୁଁ ଦୁଃଖିତ। ଛୋଟବେଳେ ସକାଳୁ ଉଠି ତାଙ୍କ ଖେଳ ଦେଖେ। ଜୀବନରେ କିଛି ବି ଘଟିପାରେ। ତାଙ୍କ ଝିଅ ଗିଆନା ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ସେହିଭଳି ରୋହିତ ଶର୍ମା ମଧ୍ୟ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ କ୍ରୀଡ଼ା ଜଗତ ପାଇଁ ଦୁଃଖର ଦିନ। ବାସ୍କେଟବଲ ଖେଳିଥିବା ଅନ୍ୟତମ ଶ୍ରେଷ୍ଠ ଖେଳାଳି ଏତେ ଶୀଘ୍ର ଚାଲିଗଲେ ବୋଲି ଲେଖିଛନ୍ତି। ଜୁଭେଣ୍ଟସ ଫରଓ୍ବାର୍ଡ ରୋନାଲ୍ଡୋ ଟୁଇଟ୍‌ରେ ଲେଖିଛନ୍ତି, ଖୁବ୍‌ ଦୁଃଖିତ। ସେ ଜଣେ କିମ୍ବଦନ୍ତୀ ଓ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣାର ସ୍ରୋତ ଥିଲେ। ତାଙ୍କ ପରିବାର ଓ ବନ୍ଧୁମାନଙ୍କ ପ୍ରତି ମୋର ସମବେଦନା ରହିଛି। ଉଲ୍ଲେଖଯୋଗ୍ୟ, ୪୧ ବର୍ଷୀୟ ବ୍ରାଏଣ୍ଟ ଓ ତାଙ୍କ ୧୩ ବର୍ଷୀୟା ଝିଅ ଗିଆନାଙ୍କ ସମେତ ୯ ଜଣ ରବିବାର ସର୍ଦର୍ନ କାଲିଫର୍ନିଆରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବ୍ରାଏଣ୍ଟଙ୍କ ମୃତ୍ୟୁ ଖବର କେବଳ କ୍ରୀଡ଼ା ଜଗତକୁ ମର୍ମାହତ କରିଦେଇଛି, ତା’ ନୁହେଁ ଫିଲ୍ମ ଷ୍ଟାର, ରାଜନେତାମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

Share