ବୋଲଗଡ଼,୮।୭(ଡି.ଏନ୍.ଏ.): ବୋଲଗଡ଼ ବ୍ଲକ ଅନ୍ତର୍ଗତ ହାଟବସ୍ତଠାରୁ ଖଲ୍ଲିକୋଟ ମଧ୍ୟ ଦେଇ ପାଟବନ୍ଧ ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାଟି ବର୍ତ୍ତମାନ ନିର୍ମାଣ ନ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ୧ ବର୍ଷ ପୂର୍ବରୁ ଟେଣ୍ଡର ମାଧ୍ୟମରେ ଏହି ରାସ୍ତାର ନିର୍ମାଣ ଆରମ୍ଭ କରାଯାଇଥିଲେ ମଧ୍ୟ କାମ ବନ୍ଦ ରହିଛି। ଏଥିଯୋଗୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତେଣୁ ଉକ୍ତ ରାସ୍ତାଦେଇ ଯାଉଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାମ ଆରମ୍ଭ ସମୟରୁ କେବଳ ରାସ୍ତାର ଅଳ୍ପ କେତେକ ସ୍ଥାନରେ ମେଟାଲ୍ ଓ ମୋରମ ପକାଯିବା ପରେ ନିର୍ମାଣ ବନ୍ଦରହିଛି। ରାସ୍ତା ପାର୍ଶ୍ୱରେ ବର୍ତ୍ତମାନ କେବଳ ମେଟାଲ୍ ଗଦା ହୋଇରହିଛି । ମାତ୍ର ନିର୍ମାଣ କାର୍ଯ୍ୟ ହେଉନାହିଁ। ତେଣୁ ଉକ୍ତ ରାସ୍ତା କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ସହ ଶୀଘ୍ର ସାରିବାକୁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ନାବାର୍ଡ ସହାୟତାରେ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇ ଠିକ୍ ସମୟରେ କାର୍ଯ୍ୟ ଶେଷ କରିବାକୁ ଠିକାଦାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତେବେ ଇତି ମଧ୍ୟରେ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହେଉନାହିଁ। ଏଥିଯୋଗୁ ଦିନକୁ ଦିନ ସମସ୍ୟା ବୃଦ୍ଧି ପାଉଥିବାରୁ ତୁରନ୍ତ କାର୍ଯ୍ୟ ସାରିିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।