Categories: ଜାତୀୟ

ଶୋପିଆନ ଏନ୍‌କାଉଣ୍ଟରରେ ମୃତ ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ହିଜବୁଲ ମୁଜାହିଦ୍ଦିନର

ଶୋପିଆନ,୮।୬: ଜମ୍ମୁ-କଶ୍ମୀରର ଶୋପିଆନରେ ସୋମବାର ହୋଇଥିବା ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନର ବୋଲି ସୂଚନା ମିଳିଛି। ଏମାନେ ୨୦୧୮ ମସିହାରୁ ଉକ୍ତ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ଥିଲେ। ମୃତ ୪ ଆତଙ୍କବାଦୀଙ୍କ ମଧ୍ୟରେ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେ ହେଉଛନ୍ତି ଉମେର ଧୋବି। ସେ ଶୋପିଆନ ପିଞ୍ଜୋରାର ବାସିନ୍ଦା। ୨୦୧୮ରୁ ସେ ଆତଙ୍କବାଦୀ ସଙ୍ଗଠନରେ ସକ୍ରିୟ ଭାବେ କାମ କରୁଥିବା ବେଳେ ଶୋପିଆନ ବାଟଗଣ୍ଡ କାପରେନ ୩ ପୋଲିସଙ୍କ ହତ୍ୟା ଘଟଣାରେ ଉମେର ସମ୍ପୃକ୍ତ ଥିଲେ। ସୂଚନାଯୋଗ୍ୟ, ଗତ ୨ ଦିନରେ ହୋଇଥିବା ଅପରେଶନରେ ହିଜବୁଲ ମୁଜାହିଦ୍ଦିନର ୯ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂ। ଗତ ୨ ସପ୍ତାହରେ ୨୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଲାଣି। ଏମାନଙ୍କ ମଧ୍ୟରେ ୬ ମୁଖ୍ୟ କମାଣ୍ଡର ଥିବା ସେ କହିଛନ୍ତି।

Share