Categories: ଫୁରସତ

ଶୋଭା ବଢ଼ାଇବେ ମୃତ ପ୍ରଜାପତି

ବକ୍ସର: ପ୍ରକୃତିର ଅନ୍ୟତମ ବିସ୍ମୟ ସୃଷ୍ଟି ପ୍ରଜାପତି। ଏହି ସୁନ୍ଦରତମ କୀଟକୁ ପରିକଳ୍ପନା କରି ଲେଖାଯାଇଛି ଅନେକ କାବ୍ୟ କବିତା। ସ୍ବଳ୍ପ ସମୟ ଜୀବନ ଅବଧି ଭିତରେ ପ୍ରଜାପତି ସବୁବର୍ଗର ଲୋକଙ୍କର କରିଥାଏ ଚିତ୍ତରଞ୍ଜନ। କିନ୍ତୁ ଦେହରୁ ଡେଣା ବାହାରିଗଲା ପରେ ଏହି ସୁନ୍ଦର କୀଟ ସତେଯେମିତି ହଜିଯାଏ ଜନମାନସରୁ। ହେଲେ ମୃତ୍ୟୁ ପରେ ବି ଏବେ ଏହି କୀଟ ଘରର ଶୋଭା ବଢ଼ାଇବ। ବିହାର ଡୁମରାଓସ୍ଥିତ ବୀର କୁବେର ସିଂ କୃଷି ମହାବିଦ୍ୟାଳୟ ପକ୍ଷରୁ ଏପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କେବଳ ଏତିକି ନୁହେଁ, ମୃତ କୀଟପତଙ୍ଗର ଦେହାବଶେଷକୁ ଏବେ ଅନୁଷ୍ଠାନ ପକ୍ଷରୁ ଅନ୍‌ଲାଇନରେ ବିକ୍ରି କରିବା ଆରମ୍ଭ କରାଯାଇଛି।
ଏ ଦିଗରେ ଗବେଷଣା କରୁଥିବା ଡା. ଚନ୍ଦ୍ରଶେଖର ପ୍ରଭାକର କୁହନ୍ତି, ସମଗ୍ର ଭାରତ ବର୍ଷରେ ଏପରି ପ୍ରକଳ୍ପ ପ୍ରଥମ। ମୃତ୍ୟୁ ପରେ ପ୍ରଜାପତି ଏବଂ ଅନ୍ୟ କୀଟ ଜନମାନସରୁ ହଜିଯାଆନ୍ତି। ହେଲେ ମୃତ୍ୟୁ ପରେ ବି ଏହି କୀଟପତଙ୍ଗ ସବୁ ୨୦ରୁ ୨୫ ବର୍ଷ ଯାଏ ଘର କାନ୍ଥର ଶୋଭା ବଢ଼ାଇବେ। ପ୍ରଭାକର ଆହୁରି ମଧ୍ୟ କହିଛନ୍ତି, ବିହାରର ବିଭିନ୍ନ ପ୍ରାନ୍ତରୁ ୫୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରଜାପତି ଚିହ୍ନଟ କରାଯାଇଛି। ମଲାପରେ ସେଗୁଡ଼ିକୁ ଶୋ’କେସ୍‌ରେ ସଜେଇ ରଖାଯିବ। ଏହାଦ୍ୱାରା ଏହି ସୁନ୍ଦର କୀଟ ବିଷୟରେ ଲୋକେ ଅଧିକ ସଚେତନ ହେବେ ଏବଂ ଏହାର ସୁରକ୍ଷା ଲାଗି ଆଗେଇ ଆସିବେ। କେବଳ ଏତିକି ନୁହେଁ, ଡୁମରାଓ କଲେଜ ସଂଗ୍ରହାଳୟରେ ଦୁର୍ଲଭ ପ୍ରଜାତିର ଏକ ଟସର କୀଟକୁ ସଂରକ୍ଷିତ କରି ରଖାଯାଇଛି। ସମ୍ଭବତଃ ଏହି ଟସର କୀଟର ରେଶମ ଉତ୍ପାଦନ କ୍ଷମତା ଅପେକ୍ଷାକୃତ ବେଶି। ଏହି କୀଟକୁ ନେଇ ଅଧିକ ଗବେଷଣା କରିବା ଆବଶ୍ୟକ। କଲେଜର ବିଶେଷଜ୍ଞ ଦଳ ଏହି କାମକୁ ଆଗକୁ ନେଉଛନ୍ତି। ବିହାର ରାଜ୍ୟ ମ୍ୟୁଜିୟମ୍‌ରେ ମଧ୍ୟ ଏପରି ମୃତ କୀଟଙ୍କ ଶୋ’କେସ୍‌ ଲଗାଇବାକୁ ଯୋଜନା କରାଯାଉଥିବା ଡା. ପ୍ରଭାକର ସୂଚନା ଦେଇଛନ୍ତି।
ଏ ସଂକ୍ରାନ୍ତରେ କୃଷି କଲେଜର ପ୍ରିନ୍ସପାଲ ଡା. ଅଜୟ କୁମାର କହିଛନ୍ତି, କଲେଜ ତରଫରୁ ଏପରି ଶୋ’କେସ୍‌ର ଅନ୍‌ଲାଇନ ବିକ୍ରି ଆରମ୍ଭ ହୋଇଛି। ଏହାର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ଯାଏ ରହିଛି। ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି। ଲୋକଙ୍କ ଆବଶ୍ୟକତା ଏବଂ ରୁଚି ଅନୁଯାୟୀ ଏହାର ଡିମାଣ୍ଡ ପୂରଣ କରାଯିବ।

Share