ଶୌଚାଳୟ ଯାଇଥିବା ବେଳେ ତାଲା ପକାଇ କର୍ତ୍ତୃପକ୍ଷ ଛୁ’, ଘଣ୍ଟାଏ ପରେ ଛାତ୍ର ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୯: ବାଲେଶ୍ୱର ସହରର ମଠସାହି ମହାବୀର ନୋଡାଲ ସ୍କୁଲରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଶୌଚାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ତାଲା ପକାଇ ପଳାଇଥିଲେ। ପ୍ରାୟ ୧ ଘଣ୍ଟା ବନ୍ଦ ହୋଇ ରହିବା ପରେ ଛାତ୍ରଜଣଙ୍କୁ ବାହାର କରାଯାଇଥିଲା।

ସୂଚନାନୁଯାୟୀ, ବୁଧବାର ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ଛାତ୍ରଜଣଙ୍କ ପାଇଖାନା ଯାଇଥିଲେ। ସେ ପାଇଖାନାରେ ଥିବା ବେଳେ ସ୍କୁଲ ଛୁଟି ହୋଇଯାଇଥିଲା। କ୍ଲାସରୁମ୍‌ରେ ତାଙ୍କ ବ୍ୟାଗ୍‌ ଥିଲେ ହେଁ ପିଅନ ତାହା ନ ଦେଖି ତାଲା ପକାଇ ଦେଇଥିଲେ। ଏପରିକି ସ୍କୁଲ ଗେଟ୍‌ରେ ମଧ୍ୟ ତାଲା ପକାଇ ଶିକ୍ଷକ ଓ ପିଅନ ପଳାଇଥିଲେ। ପାଇଖାନାରୁ ବାହାରିବା ପରେ ଗେଟ୍‌ରେ ତାଲା ପଡ଼ିଥିବା ଦେଖି ପିଲାଟି କାନ୍ଦିଥିଲା। ଏହା ଶୁଣି ଗାଁ ଲୋକେ ପିଅନକୁ ଡାକିଥିଲେ। ଶେଷରେ ପିଅନ ଯାଇ ତାଲା ଖୋଲି ପିଲାଟିକୁ ବାହାର କରିଥିଲେ। ଏନେଇ ପଚରାଯିବାରେ ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି, ପ୍ରତିଦିନ ୨ ଜଣ ପିଲାଙ୍କୁ ତାଲା ପକାଇ ରଖାଯାଏ। ଅଭିଭାବକ ନ ଆସିଥିଲେ, ପିଲାମାନଙ୍କୁ ଏମିତି ରଖୁ। କାଲି ମଧ୍ୟ ଜାଣିଶୁଣି ଆମେ ପିଲାକୁ ସ୍କୁଲରେ ରଖିଥିଲୁ। ବାହାରେ ତାଲା ପକାଇ ପିଲାକୁ ଜଗିଥିଲୁ ବୋଲି ସେ ପ୍ରତିକ୍ରିୟା ଦେଇ ଦେଇଛନ୍ତି।

Share