ସାଧାରଣତଃ କୌଣସି ବନ୍ଧୁଙ୍କର ଜନ୍ମଦିନ ପାଳନ କରିବା ପାଇଁ କେତେକ’ଣ ପୂର୍ବ ପ୍ରସ୍ତୁତି ଚାଲିଥାଏ। କେଉଁଠି କେକ୍ କଟାଯିବ, କେତେ ଅତିଥି ଯୋଗଦେବେ, ଭୋଜିରେ ଖାଦ୍ୟ ତାଲିକା କ’ଣ ରହିବ ଇତ୍ୟାଦି ଇତ୍ୟାଦି। ମାତ୍ର ଶ୍ମଶାନରେ ଜନ୍ମଦିବସ ପାଳନ ହୋଇ କେକ୍ କଟାଯିବା କେବେ ଶୁଣିଛନ୍ତି। କିନ୍ତୁ ମହାରାଷ୍ଟ୍ରରେ ଏପରି ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଏଠାକାର ନାସିକ୍ ଜିଲାର ଚନ୍ଦୋରୀ ଗାଁର କିଛି ଯୁବକ ଦୁଇଦିନ ତଳେ ନିଜ ବନ୍ଧୁଙ୍କ ୨୫ତମ ଜନ୍ମଦିବସ ଶ୍ମଶାନରେ ଖୁବ୍ ଧୂମଧାମରେ ପାଳନ କରିବା ସହ କେକ୍ ମଧ୍ୟ କାଟିଛନ୍ତି। ସେମାନଙ୍କ କହିବା କଥା ଲୋକଙ୍କର ଯେଉଁ ଅନ୍ଧବିଶ୍ୱାସ ରହିଛି ଶ୍ମଶାନରେ କେବଳ ଅଶୁଭ କାର୍ଯ୍ୟ କରାଯାଏ, ତାହାକୁ ଦୂର କରିବା ପାଇଁ ଏହା ତାଙ୍କର ଛୋଟ ପ୍ରୟାସ। ଆମେ ଏପରି ସ୍ଥାନରେ ଭୋଜିଭାତ କରି ଆମ ବନ୍ଧୁଙ୍କ ଆୟୁଷ ବଢ଼ାଇ ଦେଇଛୁ ବୋଲି ସେମାନେ ମତ ଦିଅନ୍ତି।