ଶ୍ମଶାନ ଜମିରୁ ଜବରଦଖଲ ଉଚ୍ଛେଦ: ଖୋଲା ଆକାଶ ତଳେ ୭୦ ପରିବାର

ଜଳେଶ୍ୱର, ୧୨।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ନିମପୁର ଗାଁରେ ଦୀର୍ଘଦିନ ହେଲା ଆଦିବାସୀମାନେ ଶ୍ମଶାନ ଜମିରେ ଜବରଦଖଲ କରି ରହିଆସୁଥିଲେ। ମଙ୍ଗଳବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଫଳରେ ୭୦ ପରିବାର ଏବେ ଖୋଲା ଆକାଶତଳେ ଶୀତ କାକରରେ ରହିବାକୁ ବାଧ୍ୟ ହୋଇଛନ୍ତି।
ଆଜକୁ ୪ ବର୍ଷ ହେଲା ଏହି ଶ୍ମଶାନ ଜମିରୁ ଆଦିବାସୀମାନଙ୍କୁ ହଟାଇବା ପାଇଁ ନିମପୁର ଗ୍ରାମବାସୀ (ମୂଳ ବାସିନ୍ଦା) ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଏପରିକି ଜବରଦଖଲକାରୀ ଓ ଗ୍ରାମବାସୀଙ୍କ ଗଣ୍ଡଗୋଳ ହେବା ପରେ ଜବରଦଖଲକାରୀଙ୍କ ମଧ୍ୟରୁ କେତେକ ଉକ୍ତ ସ୍ଥାନ ଛାଡ଼ି ପଳାଇଯାଇଥିଲେ। ମାତ୍ର ଆଜକୁ ବର୍ଷେ ହେବ ଅନ୍ୟ କେତେକ ଆଦିବାସୀ ସେଠାରେ ପହଞ୍ଚତ୍ ସ୍ଥାୟୀ ଘରଦ୍ୱାର କରି ରହିବାର ଚେଷ୍ଟା କରିଥିଲେ। ୭୦ଟି ପରିବାର ସେଠାରେ ଗୃହ ନିର୍ମାଣ କରି ରହିଥଲେ। ଅଭିଯୋଗ ପରେ ଜଳେଶ୍ୱର ତହସିଲଦାରଙ୍କ ପକ୍ଷରୁ ଉପଜିଲାପାଳଙ୍କ ଚିଠି ନଂ. ୬୨୭ ୬ା୨ା୨୦ରେ ଏହି ସ୍ଥାନ ଛାଡ଼ି ଯିବାକୁ କୁହାଯାଇଥିଲା। ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ, ଆର୍‌ଆଇ ଦିଲ୍ଲିପ କୁମାର ଚନ୍ଦ, ମାନସ କୁମାର ବେହେରା, ସୁଶାନ୍ତ ମଙ୍ଗଳ, ସୁପରଭାଇଜର ରବିନାରାୟଣ ତରାଇ, ଦୁଇ ପ୍ଲାଟୁନ୍‌ ଫୋର୍ସ ସହ ଘଟଣାସ୍ଥଳରେ ଜବରଦଖଲ କରି ରହିଥିବା ଲୋକଙ୍କ ଘରଗୁଡ଼ିକ ଭାଙ୍ଗି ଦେଇଥିଲେ। ପୋଲିସ୍‌ ଫୋର୍ସ ସହ ତହସିଲଦାର ଗଲାବେଳେ ସେଠାକାର ମହିଳାମାନେ ରାସ୍ତା ଅବରୋଧ କରିବା ସହ ଗାଡ଼ି ଆଗରେ ଶୋଇଥିଲେ। ସେମାନଙ୍କୁ ହଟାଇବା ଲାଗି ମହିଳା ପୋଲିସ୍‌କୁ ମୁତୟନ କରାଯାଇଥିଲା। ଏବେ ସେଠାରେ ଉତ୍ତେଜନା ଲାଗି ରହିଛି। ଗାଁର ପ୍ରଭାବଶାଳୀ ବ୍ୟକ୍ତିମାନେ ସରକାରୀ ସ୍ଥାନକୁ ଜବରଦଖଲ କରିଥିବାରୁ ସେମାନଙ୍କୁ ଉଚ୍ଛେଦ କରିବାକୁ ଦାବି ହୋଇଛି। ଶୀତ ଦିନ ହୋଇଥିବାରୁ ସେମାନଙ୍କୁ ପଲିଥିନ ଯୋଗାଇ ଦେବାକୁ ସେମାନଙ୍କର ନେତା କେଦାର ସିଂ ଦାବି କରିଛନ୍ତି। ପ୍ରଶାସନ ପକ୍ଷରୁ ଯୋଗ୍ୟ ବିବେଚିତ ଲୋକଙ୍କୁ ଜଳେଶ୍ୱର ତହସିଲ ଅନ୍ତର୍ଗତ ଖୁଆଡ଼ଠାରେ ଘରଡ଼ିହ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି।