Categories: ନୟାଗଡ଼

ଶ୍ମଶାନ ଜମି ଜବରଦଖଲକୁ ନେଇ ଉତ୍ତେଜନା: ପାଚେରି ଭାଙ୍ଗି ପଥର ନେଇଗଲେ ଗ୍ରାମବାସୀ

ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.),୨ା୬- ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ରମାବିଲ ଗାଁରେ ଶ୍ମଶାନ ଜମିକୁ କେନ୍ଦ୍ର କରି ଶନିବାର ଉତ୍ତେଜନା ଦେଖାଦେଇଥିଲା। ଗାଁର ସର୍ବସାଧାରଣ ବ୍ୟବହାର କରୁଥିବା ଶ୍ମଶାନ ଜମିକୁ ରାଜସୁନାଖଳାର ଜଣେ ବ୍ୟକ୍ତି ଜବରଦସ୍ତ ଦଖଲ କରିଥିଲେ। ଏହାକୁ ପ୍ଲଟ କରି ବିକ୍ରି କରିବା ଉଦ୍ଦେଶ୍ୟରେ ଶନିବାର ପାଚେରି ନିର୍ମାଣ କରୁଥିଲେ। ଖବର ପାଇ ଗ୍ରାମବାସୀ ଠେଙ୍ଗା, କଟୁରି, ଶାବଳ ଧରି ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସେମାନେ ନିର୍ମାଣାଧୀନ ପାଚେରିକୁ ଭାଙ୍ଗିଦେବା ସହିତ ପଥରକୁ ବୋହି ନେଇ ଯାଇଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଭୟରେ ପାଚେରି ନିର୍ମାଣ କରୁଥିବା ବ୍ୟକ୍ତି ସେଠାରୁ ଫେରାର ହୋଇଯାଇଥିଲେ। ଜମି ଦଲାଲ୍‌ମାନେ ଏହାକୁ ଅକ୍ତିଆର କରିଥିବା ବେଳେ ଏ ନେଇ ଗ୍ରାମବାସୀ ରଣପୁର ତହସିଲଦାର, ଥାନା ଓ ଜିଲାପାଳଙ୍କଠାରେ ପୂର୍ବରୁ ଅଭିଯୋଗ କରିଥିଲେ। ହେଲେ ଏହାର କୌଣସି ସମାଧାନ କରାଯାଉ ନ ଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ଗ୍ରାମବାସୀ ରାସ୍ତାରୋକୋ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ରାଜସୁନାଖଳା ରାଜସ୍ବ ନିରୀକ୍ଷକ ପଞ୍ଚାନନ ସାହୁ କହନ୍ତି, ଜମି ମାପ ଚିହ୍ନଟ ନ ହେବା ପର୍ଯ୍ୟନ୍ତ ସେଠାରେ କେହି ବି କିଛି ନିର୍ମାଣ କରିପାରିବେ ନାହିଁ।