ବଇଣ୍ଡା, ୨୦ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁବଇଣ୍ଡା ପଞ୍ଚାୟତ ଧୁଣ୍ଡି ଗ୍ରାମରେ ଶ୍ମଶାନ ଜାଗାରେ ଚେକଡ୍ୟାମ ନିର୍ମାଣକୁ ନେଇ ବିବାଦ ଦେଖାଦେଇଥିବାବେଳେ ବୁଧବାର ଗ୍ରାମବାସୀ ଶ୍ମଶାନ ଜାଗାକୁ ଅକ୍ତିଆର କରି ବାଡ ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଧୁଣ୍ଡି ଗ୍ରାମର ଖାତା ନଂ. ୮୭, ପ୍ଲଟ ନମ୍ବର ୨୪ରେ ୧ ଏକର ଶ୍ମଶାନ ଓ ୩ ଏକର ପତିତ ଜାଗାକୁ ଗ୍ରାମର ୪ ଜଣ ଜବରଦଖଲ କରି ଚାଷ କାର୍ଯ୍ୟ କରୁଛନ୍ତି। ଏଥିଯୋଗୁ ଶ୍ମଶାନ ବ୍ୟବହାରରେ ଗ୍ରାମବାସୀଙ୍କ ଅସୁବିଧା ହେଉଛି। ଏ ନେଇ ଗତ ୧୨ା୩ା୧୯ ଏବଂ ୧୯ା୮ା୨୦୧୯ରେ ଜବରଦଖଲ ଜାଗାକୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ଏହି ଶ୍ମଶାନ ଜାଗାରେ ସରକାରଙ୍କ ପକ୍ଷରୁ ୪୦ ଲକ୍ଷ ଟଙ୍କା ଅଟକଳରେ ଚେକ୍ଡ୍ୟାମ ନିର୍ମାଣ କରିବା ପାଇଁ ଜାଗା ସମତଳ କରାଯାଉଛି। ଏହାକୁ ବିରୋଧ କରି ଗ୍ରାମବାସୀ ଜିଲାପାଳ ଓ ବିଧାୟକଙ୍କଠାରେ ମଧ୍ୟ ଅଭିଯୋଗ କରିଛନ୍ତି। ଏଠାରେ ଚେକ୍ଡ୍ୟାମ ନିର୍ମାଣ ହେଲେ କିମ୍ବା ଜବରଦଖଲ ଉଚ୍ଛେଦ କରା ନ ଗଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମ ସଭାପତି କେଶବ ଚନ୍ଦ୍ର ଭୋଇ, ସମ୍ପାଦକ ଦୟାନିଧି ସାହୁ, ପୁରନ୍ଦର ପ୍ରଧାନ, ମନୋରମା ବେହେରା, ପଦ୍ମିନୀ ଭୋଇ, କୁମୁଦିନୀ ବେହେରା, ବିନୋଦିନୀ ଭୋଇ, ପ୍ରଫୁଲ୍ଲ କୁମାର ବିଶ୍ୱାଳ, ହରମୋହନ ପ୍ରଧାନ, ନରେନ୍ଦ୍ର ସାହୁ, ଶ୍ରୀକାନ୍ତ ପ୍ରଧାନ, ଭୁବନ ରାଉଳ, ଲିଙ୍ଗରାଜ ବିଶ୍ୱାଳ, ମାନସ ପ୍ରଧାନ, ଯୁଧିଷ୍ଠିର ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।