ଶ୍ରମିକଙ୍କୁ ଆନ୍ତଃ ରାଜ୍ୟ ଯାତାୟାତ ମନା

ନୂଆଦିଲ୍ଲୀ,୨୦ା୪(ପି.ଟି.): ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକଙ୍କୁ ସେହି ରାଜ୍ୟରେ କାର୍ଯ୍ୟ କରିବା ଲାଗି ସୁଯୋଗ ପ୍ରଦାନ କରାଯିବ। ସେମାନେ କେତେକ ସର୍ତ୍ତରେ ଉକ୍ତ ରାଜ୍ୟ ମଧ୍ୟରେ କାମ ପାଇଁ ବିଭିନ୍ନ ସ୍ଥାନକୁ ଯିବାକୁ ଅନୁମତି ପାଇବେ। କିନ୍ତୁ ସେମାନେ ସମ୍ପୃକ୍ତ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ଲକ୍‌ଡାଉନ ଶେଷ ନ ହେବା ପର୍ଯ୍ୟନ୍ତ ଶ୍ରମିକମାନଙ୍କ ଆନ୍ତଃ ରାଜ୍ୟ ଯାତାୟାତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ସ୍ବରାଷ୍ଟ୍ର ସଚିବ ଅଜୟ ଭାଲା ସ୍ପଷ୍ଟ କରିଦେଇଛନ୍ତି।
ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, କରୋନା ସଂକ୍ରମଣ ଭୟ ଥିବାରୁ ଶିଳ୍ପସଂସ୍ଥା, କୃଷି, ନିର୍ମାଣ ଓ ଅନ୍ୟ ସେକ୍ଟରଗୁଡ଼ିକରେ ନିଯୁକ୍ତ ଥିବା ଶ୍ରମିକମାନେ ସରକାରୀ ରିଲିଫ୍‌ କେନ୍ଦ୍ର ଓ ଆଶ୍ରୟସ୍ଥଳରେ ରହିବେ ଏବଂ ସେଠାରୁ କାର୍ଯ୍ୟସ୍ଥଳକୁ ଯାଇପାରିବେ। ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ୨୦ ତାରିଖରୁ ନିଷିଦ୍ଧାଞ୍ଚଳ ବାହାରେ କେତେକ କାର୍ଯ୍ୟ ପାଇଁ ଅନୁମତି ମିଳିଥିବାବେଳେ ଏହି ଶ୍ରମିକମାନେ ଶିଳ୍ପ, ନିର୍ମାଣ, କୃଷି ଓ ଏମ୍‌ଏନ୍‌ଆର୍‌ଇଜିଏ କାର୍ଯ୍ୟରେ ନିୟୋଜିତ ହୋଇପାରିବେ। ରାଜ୍ୟ ଭିତରେ ଯିବାଆସିବା ଲାଗି ଶ୍ରମିକମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜୀକୃତ କରାଇବାକୁ ପଡ଼ିବ। ଏଥିସହିତ ସେମାନେ କେଉଁ କାର୍ଯ୍ୟ ପାଇଁ ଉପଯୁକ୍ତ ତାହାର ଦକ୍ଷତା ପରୀକ୍ଷା କରାଯିବ।
କୌଣସି ସ୍ଥିତିରେ ମଧ୍ୟ ଶ୍ରମିକମାନଙ୍କୁ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ବାହାରକୁ ଯିବା ଲାଗି ଅନୁମତି ମିଳିବ ନାହିଁ। ରାଜ୍ୟ ଭିତରେ ବସ୍‌ରେ ଯାତାୟାତ ବେଳେ ସେମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ। ସମ୍ପୃକ୍ତ ବସ୍‌ଗୁଡ଼ିକୁ ସାନିଟାଇଜ୍‌ କରାଯିବ। ଯାତ୍ରା ସମୟରେ ସ୍ଥାନୀୟ କର୍ତ୍ତୃପକ୍ଷ ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରିବେ।

Share