Categories: ଜାତୀୟ

ଶ୍ରମିକଙ୍କୁ ଫେରାଇନେବା ପାଇଁ ସହଯୋଗ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୧୧ା୫(ପି.ଟି.): ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇନେବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବା ରବିବାର ରାଜ୍ୟଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି। ମେ’ ୧ରୁ ବର୍ତ୍ତମାନ ସୁଦ୍ଧା ମୋଟ ୩୫୦ ଟ୍ରେନ୍‌ରେ ୩.୫ ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଅଣାଗଲାଣି। ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳକୁ ନେଇ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ମଧ୍ୟରେ ମୁହଁାମୁହିଁ ହେବା ପରେ କ୍ୟାବିନେଟ ସଚିବ ଏକ ଭିଡିଓ କନ୍‌ଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବମାନଙ୍କୁ ଉପରୋକ୍ତ ଅନୁରୋଧ କରିଛନ୍ତି। ସେହିପରି ବିଦେଶରେ ଅଟକିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ‘ବନ୍ଦେ ଭାରତ ମିଶନ’ ଆରମ୍ଭ ହୋଇଛି। ଏଥିରେ ମଧ୍ୟ ରାଜ୍ୟଗୁଡ଼ିକର ସହଯୋଗ ଆବଶ୍ୟକ ବୋଲି ଗୌବା କହିଛନ୍ତି। ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ଯାତାୟାତରେ କୌଣସି ବାଧା ରହିବା ଉଚିତ୍‌ ନୁହେଁ। ଏହି କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସୁରକ୍ଷା ଯୋଗାଇଦେବା ଦିଗରେ ସମସ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ। ଭିଡିଓ କନ୍‌ଫରେନ୍ସରେ ମୁଖ୍ୟ ସଚିବମାନେ ସେମାନଙ୍କ ରାଜ୍ୟର କୋଭିଡ୍‌-୧୯ ସ୍ଥିତି ଓ ଅର୍ଥନୈତିକ କାର୍ଯ୍ୟ ସମ୍ପର୍କରେ କ୍ୟାବିନେଟ ସଚିବଙ୍କୁ ଅବଗତ କରାଇଥିଲେ।
ସେହିପରି ଅଟକିଥିବା ଶ୍ରମିକମାନଙ୍କୁ ଫେରାଇନେବା ଲାଗି ଆଗାମୀ ୩/୪ ଦିନ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଏଥିପାଇଁ ରାଜ୍ୟଗୁଡ଼ିକ ଅନୁମତି ଦେବାକୁ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଅନୁରୋଧ କରିଛନ୍ତି। ଏଭଳି ଟ୍ରେନ୍‌ ଚଳାଚଳ ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶନିବାର ପତ୍ର ଲେଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନର୍ଦ୍ଦେଶ କ୍ରମେ ଶ୍ରମିକମାନଙ୍କୁ ଫେରାଇନେବା ଲାଗି ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ କରୁଛି।

Share