ଶ୍ରମିକଙ୍କୁ ମାଗଣାରେ ଖାଇବାକୁ ଦେବେ ମନ୍ଦିର

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ଅଧିକାଂଶ ପ୍ରବାସୀ ବହୁ ଦୂରରୁ ଚାଲି ଚାଲି କିମ୍ବା ସାଇକେଲରେ ଓଡ଼ିଶା ଆସୁଛନ୍ତି। ସେହିଭଳି ଓଡ଼ିଶାରେ ଫସି ରହିଥିବା ଶ୍ରମିକମାନେ ଏବେ ନିଜ ରାଜ୍ୟକୁ ଫେରୁଛନ୍ତି। ତେବେ ଖରା ଓ ପ୍ରବଳ ଗରମରେ ସେମାନେ ଅଖିଆ ଅପିଆ ଯାଉଥିବା ଦେଖିବାକୁ ମିଳୁଛି। ଦୋକାନ ବଜାର ବନ୍ଦ ଥିବାବେଳେ ପାଖରେ ଟଙ୍କା ନାହିଁ। ଏଭଳିସ୍ଥଳେ ପ୍ରବାସୀ ଦାଦନ ଶ୍ରମିକମାନଙ୍କୁ ମାଗଣାରେ ଖାଦ୍ୟ ପୁଡ଼ିଆ ଯୋଗାଇଦେବାକୁ ରାଜ୍ୟର ପ୍ରମୁଖ ମନ୍ଦିରଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନର ସି.ଆର୍‌. ମହାପାତ୍ର।  ସେ ଏନେଇ ଗୁରୁବାର ବିଭିନ୍ନ ଜିଲା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ, ମନ୍ଦିର ପରିଚାଳନା ଟ୍ରଷ୍ଟି ଏବଂ ପରିଚାଳନା ବୋର୍ଡ ସଭାପତିମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ମନ୍ଦିର ଟ୍ରଷ୍ଟଗୁଡ଼ିକ ଦାତବ୍ୟ କାର୍ଯ୍ୟ ସ୍ବରୂପ ଶ୍ରମିକମାନଙ୍କୁ ଖାଇବାକୁ ଦେବେ। ଏଥିଲାଗି ଜିଲା ପ୍ରଶାସନ ସହ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବାକୁ କୁହାଯାଇଛି। ଘଟଗାଁ ମା’ ତାରିଣୀ ମନ୍ଦିର, ରେମୁଣା କ୍ଷୀରଚୋରା ଗୋପୀନାଥ, କେନ୍ଦ୍ରାପଡ଼ା ବଳଦେବଜୀଉ, ସମ୍ବଲପୁର ମା’ ସମଲେଶ୍ୱରୀ ମନ୍ଦିର, ରାୟଗଡ଼ାର ମା’ ମଝିଘରିଆଣୀ ଠାକୁରାଣୀ, ଜାଆଁଳାର ମା’ ବାଟ ଭୁଆସୁଣୀ, ବାଲୁଗାଁ ଉମା ମହେଶ୍ୱର ଆଦି ମନ୍ଦିର ସହ ଢେଙ୍କାନାଳ ଦେବୋତ୍ତର, କେନ୍ଦୁଝର ଦେବୋତ୍ତର, ଆଠଗଡ଼ ଓ ନୟାଗଡ଼ ଜିଲା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଜିଲାରୁ ଆଉ ଗୋଟିଏ ଜିଲା ଏବଂ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟ ଯାଉଥିବା ଶ୍ରମିକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ। କରୋନା ମୁକାବିଲା ପାଇଁ ପୂର୍ବରୁ ରାଜ୍ୟର ପ୍ରାୟ ୬୬ଟି ମନ୍ଦିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

Share