ଶ୍ରମିକଙ୍କ ପ୍ରାପ୍ୟ ଶୁଣାଣି: କୁଆଡ଼େ ଗଲା ୨୦ ହଜାର କୋଟି, ପଚାରିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୪।୬: ଲକ୍‌ଡାଉନ୍‌ ସମୟରେ ଶ୍ରମିକଙ୍କ ପ୍ରାପ୍ୟ ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଶକ୍ତ ମନୋଭାବ ପୋଷଣ କରିଛନ୍ତି। ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଶ୍ରମିକ ଏବଂ ଦିନ ମଜୁରିଆ ପ୍ରାପ୍ୟ ପାଇବା ଉପରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହାର ବିଚାର କରାଯାଉଛି। ଖଣ୍ଡପୀଠରେ ବିଚାରପତି ସଞ୍ଜୟ କିଶନ କୌଲ୍‌ ଏବଂ ଏମ୍‌.ଆର୍‌.ଶାହା ମଧ୍ୟ ସାମିଲ ହୋଇଛନ୍ତି। ଏହି ମାମଲାର ଶୁଣାଣିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ନି ଜେନେରାଲ ବି.କେ.ବେଣୁଗୋପାଲ କହିଛନ୍ତି ଯେ, ପ୍ରାପ୍ୟ ଦେବା ପ୍ରସଙ୍ଗ ମାଲିକ ଏବଂ ଶ୍ରମିକଙ୍କ ମଧ୍ୟର ବିଷୟ। ଏଥିରେ ସରକାରଙ୍କ ହସ୍ତକ୍ଷେପ କରିବା ଅନୁଚିତ। ତେବେ ବିଚାରପତି ସଞ୍ଜୟ କିଶନ କୌଲ୍‌ କହିଛନ୍ତି ଯେ, କେନ୍ଦ୍ର ସରକାର ଶ୍ରମିକ ଏବଂ ଦିନମଜୁରିଆଙ୍କ ପାଇଁ ଘୋଷଣା କରିଥିବା ୨୦ ହଜାର କୋଟି ଟଙ୍କା କୁଆଡ଼େଗଲା। ସେ ସବୁ ଟଙ୍କା ଅଣୁ-କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବିକାଶରେ ବିନିଯୋଗ ହୋଇଛି। ଏକ୍ଷେତ୍ରରେ ସରକାର ଭଲ କାର୍ଯ୍ୟ କରିଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ଆଟର୍ନି ଜେନେରାଲ କହିଛନ୍ତି। ସୁପ୍ରିମ୍‌କୋର୍ଟ ସରକାରଙ୍କଠାରୁ ସାର୍ଟିଫିକେଟ ନୁହେଁ ପ୍ରଶ୍ନର ଉତ୍ତର ଚାହୁଁଛନ୍ତି ବୋଲି କୌଲ୍‌ କହିଛନ୍ତି। ଏପରିସ୍ଥଳେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ କହିଛନ୍ତି ଯେ, ଲକ୍‌ଡାଉନ୍‌ ଯୋଗୁ ସ୍ଥାୟୀ କର୍ମଚାରୀଙ୍କ ତୁଳନାରେ ଅସ୍ଥାୟୀ କର୍ମଚାରୀଙ୍କ ଉପରେ ଅଧିକ ପ୍ରଭାବ ପଡ଼ିଛି।

Share