ଶ୍ରମିକଙ୍କ ସମସ୍ୟା ବୁଝିବାକୁ ନୋଡାଲ ଅଫିସର ନିଯୁକ୍ତି କର

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନକୁ ମେ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏଥିଯୋଗୁ ବିଭିନ୍ନ ରାଜ୍ୟର ରିଲିଫ କ୍ୟାମ୍ପରେ ଫସି ରହିଥିବା ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଉପଯୁକ୍ତ ଖାଦ୍ୟ, ପାନୀୟ ଓ ଚିକିତ୍ସା ସୁବିଧା ଯୋଗାଯାଉ ନ ଥିବା ଅଭିଯୋଗ ହେଉଛି। ଏହାକୁ ନେଇ ସୁପ୍ରିମକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ରିଲିଫ କ୍ୟାମ୍ପ ଦାୟିତ୍ୱରେ ଜଣେ ବରିଷ୍ଠ ଅଧିକାରୀ ରହିବେ। ବିଭିନ୍ନ ସାମାଜିକ ସଂଗଠନ କିମ୍ବା ମଧ୍ୟାହ୍ନଭୋଜନ ସୁବିଧା କରୁଥିବା ସଂସ୍ଥାଗୁଡିକ ସହିତ ଯୋଗସୂତ୍ର ରଖି ଲକ୍‌ଡାଉନ ସମୟରେ ଶ୍ରମିକମାନଙ୍କର ଖାଇବା ପିଇବା ବ୍ୟବସ୍ଥା କରିବେ। ଆବଶ୍ୟକ ସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିୟମାବଳୀ ଅନୁସାରେ ସେମାନଙ୍କୁ ମନସ୍ତାତ୍ତ୍ୱିକ ଓ ସାମାଜିକ ପରାମର୍ଶ ଦେବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତିି। ଲକ୍‌ଡାଉନ ସମୟରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କ କଲ୍ୟାଣ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀଗୁଡିକ ଯେପରି କଡାକଡି ଲାଗୁ କରାଯିବ ତାହା ସୁନିଶ୍ଚିତ କରିବାକୁ କ୍ୟାବିନେଟ ସଚିବ ଶୁକ୍ରବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ଚିଠି ଲେଖିଛନ୍ତି।
ରାଜ୍ୟଗୁଡିକ ଏ ସମ୍ପର୍କରେ ସମୀକ୍ଷା କରିବା ସହ ଶ୍ରମିକମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବା ଲାଗି କୁହାଯାଇଛି। ଯଦି ଏଥିପାଇଁ କାୈଣସି ନୋଡାଲ ଅଧିକାରୀଙ୍କ୍‌ୁ ନିଯୁକ୍ତି ଦିଆଯାଇ ନାହିଁ ତେବେ ତୁରନ୍ତ ତାହା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଶ୍ରମିକମାନେ ଯେପରି ହଇରାଣ ନ ହେବେ ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପୌର ସଂସ୍ଥା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଲାଗି କୁହାଯାଇଛି। ବିଭିନ୍ନ ଜିଲାରେ ଅଟକି ରହିଥିବା ଶ୍ରମିକମାନଙ୍କ ସଂଖ୍ୟା ପୁଙ୍ଖାନୁପୁଙ୍ଖ ଭାବେ ନିରୂପଣ କରି ସେମାନଙ୍କର ଖାଇବା, ରହିବା ଆଦି ସମସ୍ତ ସୁବିଧା କରିବାକୁ କ୍ୟାବିନେଟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତିି।

Share