‘ଶ୍ରମିକଙ୍କ ସ୍ଥିତିକୁ ପ୍ରାଧାନ୍ୟ ଦିଅ’

ଭୁବନେଶ୍ୱର,୨୩ା୫ (ବ୍ୟୁରୋ): କରୋନା ମହାମାରୀର ମୁକାବିଲା କରିବା, ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା, ଅଧିକରୁ ଅଧିକ ଟେଷ୍ଟ କରାଇବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ବର୍ତ୍ତମାନ କେନ୍ଦ୍ର ତଥା ରାଜ୍ୟ ସରକାର ଦିନ ମଜୁରିଆ ଓ ଅନ୍ୟ ଶ୍ରମିକଙ୍କ ସ୍ଥିତିକୁ ପ୍ରାଧାନ୍ୟ ଦିଅନ୍ତୁ। ଲକ୍‌ଡାଉନ୍‌ ସକାଶେ ବହୁ ଶ୍ରମିକ ଏବେ କାମ ଧନ୍ଦା ବନ୍ଦ କରି ଘରକୁ ଫେରିଛନ୍ତି। ତେଣୁ ସେମାନଙ୍କୁ ଆବଶ୍ୟକ କାମ ଯୋଗାଇବା ସହ ମାସିକ ୧୦ ହଜାର ଟଙ୍କା ଓ ବଞ୍ଚିବା ପାଇଁ ବିଭିନ୍ନ ସାଧନ ଯୋଗାଇ ଦେବା ପାଇଁ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ୍‌ ସେଣ୍ଟର (ଏଆଇୟୁଟିୟୁସି) ପକ୍ଷରୁ ଦାବି କରାଯାଇଛି।
କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ପାଇଁ ସାରା ଦେଶରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ପ୍ରତିବାଦ ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ଏଆଇୟୁଟିୟୁସି ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା। ଶ୍ରମିକ ନେତା ଜନାର୍ଦ୍ଦନ ପତିଙ୍କ ନେତୃତ୍ୱରେ ଏଆଇୟୁଟିୟୁସିର ବହୁ କର୍ମକର୍ତ୍ତା ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଉପସ୍ଥିତ ହୋଇ କେନ୍ଦ୍ର ତଥା ରାଜ୍ୟ ସରକାର ଶ୍ରମିକମାରଣ ନୀତି ବନ୍ଦ କରନ୍ତୁ ବୋଲି ଦାବି କରିବା ସହ ଶ୍ରମ ଆଇନ ସଂଶୋଧନ କରି ପୁନର୍ବାର ଶ୍ରମିକମାନେ ଦୈନିକ ୮ଘଣ୍ଟା ପରିଶ୍ରମ କରନ୍ତୁ ବୋଲି ଦାବି କରିଛନ୍ତି। ଆୟୋଜିତ ଏହି ପ୍ରତିବାଦ ସଭାରେ ଏଆଇୟୁଟିୟୁସି ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି, ବିଜ୍ଞାନ ବେହେରା, ସନ୍ତୋଷ ଦିଗଲ, ବିଜୟ ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିବା ଜଣାପଡ଼ିଛି।

Share