ଶ୍ରମିକ କାର୍ଡ ନାମରେ ଠକେଇ ଅଭିଯୋଗ

ସମ୍ବଲପୁର,୨୫ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଜାରି କରାଯାଇଛି । ରୋଜଗାର ହରାଇଥିବା ଶ୍ରମିକ ଓ ଗରିବ ଲୋକମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥତ୍କ ସହାୟତା ସହିତ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ଏପରି ପରିସ୍ଥିତିରେ କେତେଜଣ ଯୁବତୀ ଯୁବକ ଶ୍ରମିକ କାର୍ଡ କରିଦେବା କହି ଠକେଇ କରୁଥିବା ଅଭିଯୋଗ ହୋଇଛି । ସେମାନେ ଗାଁକୁ ଗାଁ ବୁଲୁଛନ୍ତି । ଆଧାର କାର୍ଡ, ଭୋଟର କାର୍ଡ ଓ ଫଟୋ ମାଗୁଛନ୍ତି । ଏକ ଡାଏରୀରେ ହିତଧିକାରୀଙ୍କ ନାମ ଲେଖି ୧ଶହ ଟଙ୍କା ନେଉଛନ୍ତି। ବାସ୍ତବରେ ସେମାନେ ସରକାରୀ କର୍ମଚାରୀ ନା ଅନ୍ୟ କେଉଁ ସଂସ୍ଥାରୁ ଆସିଛନ୍ତି ତାହା ଜଣାପଡିନାହିଁ । ସଂପୃକ୍ତ ଯୁବତୀ ଯୁବକଙ୍କୁ କେବେ କାର୍ଡ ମିଳିବ ବୋଲି ପ୍ରଶ୍ନ କରିବାରୁ ଅଳ୍ପ ଦିନ ପରେ କାର୍ଡ ଦିଆଯିବ ବୋଲି କହୁଛନ୍ତି । ଏହାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ(ଡିଏଲ୍‌ଓ) ସୁମିତ୍ରା ମାଝିଙ୍କୁ ପଚାରିବାରୁ ସେ କହିଛନ୍ତି ବର୍ତ୍ତମାନ ସମୟରେ କୌଣସି କାର୍ଡ କରାଯାଉ ନାହିଁ । ଲୋକମାନେ ଟଙ୍କା ଦେଇ କାର୍ଡ କରିବା ଆବଶ୍ୟକ ନାହିଁ । ଲକ୍‌ଡାଉନ ପରେ ଶ୍ରମ ବିଭାଗ ଅଫିସ ଆସି କାର୍ଡ ତିଆରି କରିପାରିବେ । ଯେଉଁ ଗାଁରେ ଏପରି ଘଟଣା ଘଟୁଛି ସେ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ସହ ଆମକୁ ଖବର ଦିଅନ୍ତୁ ।

Share