Categories: ଗଞ୍ଜାମ

ଶ୍ରମିକ ପଞ୍ଜୀକରଣ ନଁ।ରେ ଅର୍ଥ ଆଦାୟ ଅଭିଯୋଗ

ଦିଗପହଣ୍ଡି/ପାଟପୁର,୨ା୯(ଡି.ଏନ.ଏ.)-ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଶ୍ରମିକ ପଞ୍ଜୀକରଣ ପାଇଁ ଦଲାଲମାନେ ବୁଲୁଥିବା ଅଭିଯୋଗ ହୋଇଛି। ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ବିଭିନ୍ନ ସରକାରୀ ସହାୟତା ସମ୍ପର୍କରେ ଲୋକଙ୍କୁ ବିଶଦ ଭାବେ ବୁଝାଉଛନ୍ତି। ଏଥିରେ ଲୋକେ ପ୍ରଭାବିତ ହୋଇ ସରକାରୀ ସହାୟତା ମିଳିବା ଆଶାରେ ଦରଖାସ୍ତ କରୁଛନ୍ତି । ପ୍ରତି ଦରଖାସ୍ତ ପିଛା ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। ଏହି ପ୍ରକ୍ରିୟାରେ ବହୁ ଗରିବ ଲୋକ ଠକାମିର ଶିକାର ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କୃଷିକାର୍ଡ କରାଇଦେବାର ପ୍ରଲୋଭନ ଦେଖାଇ କିଛି ନିର୍ଦ୍ଦିଷ୍ଟ ବେସରକାରୀ ସଂସ୍ଥାର କର୍ମକର୍ତ୍ତା ସଦସ୍ୟ ବିଭିନ୍ନ ଗାଁକୁ ଯାଇ ଲୋକଙ୍କଠାରୁ ଅର୍ଥ ଆଦାୟ କରିଛନ୍ତି। ସେମାନଙ୍କୁ ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତରେ ଲୋକେ ଧରି ସାନଖେମୁଣ୍ଡି ବିଡିଓ ଶିବ ଶଙ୍କର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଡିଓଙ୍କ ଉପସ୍ଥିତିରେ ସେମାନେ ନିଜ ଭୁଲ ସ୍ବୀକାର କରିବା ସହ ଆଦାୟ କରାଯାଇଥିବା ଅର୍ଥ ଫେରସ୍ତ କରିଥିବା ପାଟପୁର ସରପଞ୍ଚ ଟି. ବାବୁ ସୁବୁଦ୍ଧି କହିଛନ୍ତି। ସମ୍ପୃକ୍ତ ବ୍ୟକ୍ତି କୃଷି କାର୍ଡ ଜରିଆରେ ବ୍ୟାଙ୍କ ଋଣ ଓ ସରକାରୀ ସହାୟତା ମିଳିବ ବୋଲି କହି ଲୋକଙ୍କଠାରୁ ଆଧାର କାର୍ଡର ଜେରେକ୍ସ ଓ ୫୦ ଟଙ୍କା ନେଇଥିଲେ। ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସମ୍ପୃକ୍ତ ସଂସ୍ଥାର ସଦସ୍ୟମାନଙ୍କୁ ତାଗିଦ୍‌ କରାଯାଇଛି। କୌଣସି ଗ୍ରାମାଞ୍ଚଳରୁ ପୁଣି ଏଭଳି ଅଭିଯୋଗ ମିଳିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ଚେତାବନୀ ଦିଆଯାଇଥିବା କହିଛନ୍ତି। କୌଣସି ସଂସ୍ଥା ଏଭଳି କାରବାର କରୁଥିବା ଦୃଷ୍ଟିକୁ ଆସିଲେ ବ୍ଲକ ପ୍ରଶାସନ ଓ ପୋଲିସକୁ ଜଣାଇବା ଆବଶ୍ୟକ ବୋଲି ସେ ସ୍ପଷ୍ଟ କରିଛନ୍ତି ।