Categories: ଜାତୀୟ

ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ୮୦ ଜଣଙ୍କର ମୃତ୍ୟୁ ହେଲାଣି

ନୂଆଦିଲ୍ଲୀ,୩୦।୫: ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସରକାରଙ୍କ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ପାଲଟିଯାଇଛି। ବିଶେଷ କରି ରୋଜଗାର ବନ୍ଦ ହୋଇ ଯିବାରୁ ଏମାନେ ଚାଲି ଚାଲି ଘରକୁ ଫେରିବା ଆରମ୍ଭ କରିଥିବା ବେଳେ ଏହି ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଥିଲା। ମେ’ ମାସ ପ୍ରଥମ ସପ୍ତାହରୁ ଆରମ୍ଭ କରାଯାଇଥିବା ଏହି ଟ୍ରେନ୍‌ ଯୋଗେ ବହୁ ପ୍ରବାସୀ ସେମାନଙ୍କ ରାଜ୍ୟରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ଏହି ଟ୍ରେନ୍‌ରେ ପାଖାପାଖି ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ରେଲଓ୍ବେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ମୃତ୍ୟୁ ହୋଇଥିବା ଅଧିକାଂଶ ଲୋକ ପୂର୍ବରୁ କିଛି ନା କିଛି ଜଟିଳ ରୋଗରେ ପୀଡ଼ିତ ଥିଲେ। ତେବେ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ରେଲଓ୍ବେ ପକ୍ଷରୁ ଏହା ଏକ ପ୍ରାଥମିକ ରିପୋର୍ଟ ହୋଇଥିବା ବେଳେ ଆଗକୁ ଏହାର ଚୁଡାନ୍ତ ରିପୋର୍ଟ ଆସିବ ବୋଲି ଆର୍‌ପିଏଫ୍‌ର ଅଧିକାରୀ ସୂଚନା ଦେଇଛନ୍ତି।

Share