ଶ୍ରମ ଆଇନରେ ସଂଶୋଧନକୁ ସିଆଇଟିୟୁ ପକ୍ଷରୁ ବିରୋଧ

ବ୍ରହ୍ମପୁର ଅଫିସ,୨।୮: ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶ୍ରମିକ ସଂଗଠନ ସିଆଇଟିୟୁ। ଶୁକ୍ରବାର ବ୍ରହ୍ମପୁରସ୍ଥିତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୪୪ଟି ଶ୍ରମ ଆଇନକୁ ସଂଶୋଧନ କରି ୪ଟି ‘କୋଡ୍‌’ରେ ପରିଣତ କରାଯିବ। ଫଳରେ କର୍ମଚାରୀଙ୍କ ବୋନସ, ମଜୁରି, ସ୍ବାସ୍ଥ୍ୟ, ନିରାପତ୍ତା, ଚାକିରି ସର୍ତ୍ତାବଳୀ ଆଦି ସମ୍ପର୍କିତ ନିୟମଗୁଡିକ ଦୁର୍ବଳ ହୋଇଯିବ। ପୁଞ୍ଜିପତିଙ୍କ ସ୍ବାର୍ଥରେ ମୋଦି ସରକାର ଏହି ସଂଶୋଧନ ଆଣିଛନ୍ତି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ବିକ୍ଷୋଭରେ ସିଆଇଟିୟୁ ଗଞ୍ଜାମ ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା, ସଭାପତି ଅଶ୍ୱିନୀ ଦାସ, ପଞ୍ଚାନନ ଜେନା, ବି.ଏନ୍‌ ସାହୁ, ନୃସିଂହ ବ୍ରହ୍ମାଙ୍କ ସମେତ ବହୁ ଶ୍ରମିକ ନେତା ଭାଗ ନେଇଥିଲେ।