Advertisement

ଶ୍ରମ ଆଇନ ସଂଶୋଧନ ବିଲ୍‌ ପ୍ରତ୍ୟାହାର ଦାବି

ପୁରୀ ଅଫିସ, ୨ା୮: କେନ୍ଦ୍ର ସରକାର ଶ୍ରମ ଆଇନ ସଂଶୋଧନ ବିଲ୍‌ ତୁରନ୍ତ ପ୍ରତ୍ୟାହାର ଲାଗି ସିପିଆଇ, ସିପିଆଇ(ଏମ୍‌) ଏବଂ ବିଭିନ୍ନ ଶ୍ରମିକ ସଙ୍ଗଠନ ଦାବି କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।
ଦାବିପତ୍ରରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସାମାଜିକ ସୁରକ୍ଷା ସଂକ୍ରାନ୍ତ ୧୫ଟି ଆଇନକୁ ମିଶ୍ରଣ କରି ସାମାଜିକ ସୁରକ୍ଷା ଉପରେ ଲେବର କୋର୍ଡ ଆଣୁଛନ୍ତି। ଏହି ବିଲ୍‌ କାର୍ଯ୍ୟକାରୀ ହେଲେ ନିର୍ମାଣ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଯୋଜନା ବାଧାପ୍ରାପ୍ତ ହେବ। ଶ୍ରମ ମନ୍ତ୍ରଣାଳୟ ଜୁଲାଇ ୨୩ରେ ମଜୁରି କୋର୍ଡ ବିଲ୨୦୧୯ ଲୋକସଭାରେ ଆଗତ କରିଛନ୍ତି। ଏହାଦ୍ୱାରା ୧୩ଟି ଗୁରୁତ୍ୱପୂର୍ଣ୍ଣ ଶ୍ରମ ଆଇନ ଉଚ୍ଛେଦ ହୋଇଯିବ। କେନ୍ଦ୍ର ସରକାର ଏହାଦ୍ୱାରା ଶ୍ରମିକଙ୍କ ଅଧିକାରଙ୍କୁ ସଙ୍କୁଚିତ କରିବା ଲାଗି ଚକ୍ରାନ୍ତ କରୁଛନ୍ତି ବୋଲି ବିଭିନ୍ନ ଦଳ ଏବଂ ଶ୍ରମିକ ସଙ୍ଗଠନ ଅଭିଯୋଗ କରିଛନ୍ତି। ଭାରତୀୟ ଶ୍ରମ ସମ୍ମିଳନୀର ସର୍ବସମ୍ମତ ପ୍ରସ୍ତାବକୁ ଅଣଦେଖା କରାଯାଇଛି। କେନ୍ଦ୍ର ଶ୍ରମ ମନ୍ତ୍ରୀ ଜୁଲାଇ ୧୦ ତାରିଖରେ ଦୈନିକ ୧୭୮ ଟଙ୍କା (୨୬ଦିନ ପାଇଁ ୪୬୨୮ ଟଙ୍କା) ଘୋଷଣା କରିବା ଶ୍ରମିକ ସ୍ବାର୍ଥ ବିରୋଧୀ ବୋଲି କୁହାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଶ୍ରମିକ ନେତା ଜଗନ୍ନାଥ ଦେଓ, ଶରତ ରାୟଗୁରୁ, ଟୁନା ନାୟକ, ମନୋରଞ୍ଜନ ମହାରଣା, ବାହନ ପରିଡ଼ା, ବ୍ରଜବନ୍ଧୁ ପ୍ରଧାନ, ହରିହର ସେନାପତି, ପ୍ରଫୁଲ୍ଲ ମହାପାତ୍ର, ବିଦୁଲତା ପୃଷ୍ଟି, ପ୍ରଦୀପ ମହାନ୍ତି ଓ ବନମାଳୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share