ଶ୍ରମ ଆଇନ ସମ୍ପୂର୍ଣ୍ଣ ଉଚ୍ଛେଦ ହେବନି: ରାଜୀବ କୁମାର

ନୂଆଦିଲ୍ଲୀ,୨୫।୫: ବିଭିନ୍ନ ରାଜ୍ୟ ଦ୍ୱାରା ଶ୍ରମ ଆଇନରେ କରାଯାଉଥିବା ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ ହେଉଛି। ଏହି ପ୍ରସଙ୍ଗ ଉପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ଶ୍ରମିକଙ୍କ ହିତକୁ ବର୍ତ୍ତମାନ ପ୍ରାଥମିକତା ଦେଉଛନ୍ତି। ଶ୍ରମିକଙ୍କ ସ୍ବାର୍ଥ ରକ୍ଷା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ। ଏ କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଉଛି। ଶ୍ରମ ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ନାହିଁ। ଗୁଜରାଟ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଏହି ଆଇନରେ ସଂଶୋଧନ କରିଛନ୍ତି କିମ୍ବା ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି। କରୋନା ଭାଇରସ୍‌ ଦ୍ୱାରା କ୍ଷତିଗ୍ରସ୍ତ ଦେଶର ଶିଳ୍ପଜଗତକୁ ସହାୟତା କରିବା ଲାଗି ଏଭଳି ବ୍ୟବସ୍ଥା ହେଉଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଏ ନେଇ ନିଜର ପକ୍ଷ ରଖିବାକୁ ପ୍ରସ୍ତୁତ ହେଉଛି। ମନ୍ତ୍ରଣାଳୟ ଏ ନେଇ ରାଜ୍ୟଗୁଡିକୁ ପରାମର୍ଶ ଦେବ। ରାଜ୍ୟଗୁଡିକ ଏହି ଆଇନକୁ ଉଚ୍ଛେଦ କରିପାରିବେ ନାହିଁ। କାରଣ ଏହାକୁ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ ନିୟମ ଆଧାରରେ ପ୍ରସ୍ତୁତ କରାଯାଇଛି ବୋଲି କୁମାର ମତବ୍ୟକ୍ତ କରିଛନ୍ତି।

Share