ଶ୍ରମ ମନ୍ତ୍ରଣାଳୟ, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ କରୋନା

ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଛି। ସ୍ବାସ୍ଥ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ଏବେ ଶ୍ରମ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଶ୍ରମ ମନ୍ତ୍ରଣାଳୟର ୧୧ କର୍ମଚାରୀ କରୋନାରେ ପୀଡ଼ିତ ଥିବା ସୂଚନା ମିଳିଛି। ଏହା ପୂର୍ବରୁ ଏହି କାର୍ଯ୍ୟାଳୟର ୨ କର୍ମଚାରୀଙ୍କ କରୋନା ପଜିଟିଭ ରିପୋର୍ଟ ଆସିବା ପରେ ଶ୍ରମ ଶକ୍ତି ଭବନକୁ ୨ଦିନ ପାଇଁ ବନ୍ଦ କରି ଦିଆଯାଇଥିଲା। ଏହି ୨ ଜଣ କରୋନାରେ ପୀଡ଼ିତ ହେବା ଜଣାପଡିବା ପରେ ଅନ୍ୟମାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ଆସିବା ପରେ ଅନ୍ୟ ୧୧ କର୍ମଚାରୀ ମଧ୍ୟ କରୋନାରେ ପୀଡିତ ହୋଇଥିବା ଜଣାପଡିଛି। ସେହିପରି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏହାସହ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି।

Share