Categories: ଗଞ୍ଜାମ

ଶ୍ରାବଣରେ ମୁଣ୍ଡଫଟା ଖରା : କେନାଲରେ ପାଣି ନାହିଁ, ଚାଷୀକୁଳ ଚିନ୍ତାରେ

କନିଷି,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକରେ ବର୍ଷାଭାବରୁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି । ଶ୍ରାବଣ ମାସରେ ମୁଣ୍ଡଫଟା ଖରା ହେଉଥିବାରୁ କେନାଲରେ ପାଣି ନାହିଁ। ଫଳରେ ଧାନରୁଆ ସମୟ ହୋଇଥିବାରୁ ବର୍ଷାଭାବରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଧାନତଳି ଟାଣଖରାରେ ନଷ୍ଟ ହେବାରେ ଲାଗିଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ରୁଆକାର୍ଯ୍ୟ ହୋଇପାରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି।
ରଙ୍ଗେଇଲୁଣ୍ଡା ବ୍ଲକର ବିଶ୍ୱନାଥପୁର, ମନ୍ତ୍ରିଡ଼ି, କୋଠାରସିଂ, ଶାସନ ପଦର, ମେଣ୍ଢ୍ରାଜପୁର ଗ୍ରାମପଞ୍ଚାୟତରେ ଚାଷଜମି ପଡ଼ିଆ ପଡ଼ିଛି । ରୁଆକାର୍ଯ୍ୟ ବିଳମ୍ବ ହେଲେ ଫସଲ ଅମଳରେ କ୍ଷତି ହେବ । ଯେଉଁ ଚାଷୀ ତଳି ପକାଇଥିଲେ ସେଥିରୁ ୩୦ ପ୍ରତିଶତ ନଷ୍ଟ ହୋଇଗଲାଣି । ଯେଉଁ ତଳି ବଞ୍ଚତ୍ଛି ପାଣି ନ ଥିବାରୁ ରୁଆକାର୍ଯ୍ୟ ହୋଇପାରୁନାହିଁ ।
ଗୋପାଳପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ଚାଷୀନେତା ଗୋକୁଳ ଚନ୍ଦ୍ର କର ବାରମ୍ବାର ପ୍ରଶାସନ ନିକଟରେ ଚାଷୀମାନଙ୍କ ସମସ୍ୟା ନେଇ ଅଭିଯୋଗ କରିଆସୁଛନ୍ତି । ସେ କହିଛନ୍ତି ଯେ, ଏଭଳି ବିଭିନ୍ନ ସମସ୍ୟା ପାଇଁ ଚାଷୀ କୃଷିଋଣ ଶୁଝିବା କଷ୍ଟକର ହେଉଛି। ଋଣ ଶୁଝି ନ ପାରି ଚାଷୀ ଆତ୍ମହତ୍ୟା କରୁଥିବା ନଜିର ରହିଛି।