Categories: ରାଜ୍ୟ

ଶ୍ରାବଣରେ ମୁଣ୍ଡଫଟା ଖରା, ମରୁଡି ଆଶଙ୍କା

ଖଣ୍ଡପଡା,୨୪ା୭(ସ୍ବ.ପ୍ର.): ଗତ କିଛିଦିନ ହେବ ନୟାଗଡ଼ ଜିଲାରେ ବର୍ଷା ଉଭାନ ହୋଇଯାଇଛି। ଏହାକୁ ନେଇ ଚାଷୀଙ୍କ ମନରେ ହତାଶ ଭାବ ସୃଷ୍ଟି ହୋଇଛି ା ମୌସୁମୀ ଦୁର୍ବଳ ଅବସ୍ଥାରେ ଥିବାରୁ ଟାଇଁ ଟାଇଁ ଖରାରେ ଧାନ ବିଲ ଏବେ ଶୁଖିଲା ପଡିଛି ା ବିଶେଷକରି ଶ୍ରାବଣ ମାସରେ ଅନବରତ ବର୍ଷା ଲାଗିରହିବା ପରିବର୍ତ୍ତେ ମୁଣ୍ଡଫଟା ଖରା ଚାଷୀଙ୍କ ଆଶାକୁ ଆଶଙ୍କାରେ ପରିଣତ କରିଦେଇଛି ା ଖଣ୍ଡପଡ଼ା ଅଞ୍ଚଳରେ ଏଭଳି ପରିସ୍ଥିତି ନେଇ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ ଏ ଅଞ୍ଚଳର ସମୁଦାୟ ଜନସଂଖ୍ୟାର ତିନି ଚତୁର୍ଥାଂଶ କୃଷି ଜୀବୀ ଓ ଶ୍ରମ ଜୀବୀ। ଦୀର୍ଘଦିନ ଧରି ଆବଶ୍ୟକ ପରିମାଣର ବର୍ଷା ନ ହେବା ଯୋଗୁ ଅନେକ ସ୍ଥାନରେ ଧାନ ଗଛ ତଳି ମୁଣ୍ଡି ମରିଯାଇଛି। ଜଳ ଅଭାବରେ ବେଉଷଣ ହୋଇପାରୁନାହିଁ। ଏ ଅଞ୍ଚଳର ମୁଖ୍ୟ ଧାନ ଫସଲ ବେଉଷଣ ଅଭାବରୁ ଉଜୁଡ଼ିଯିବାକୁ ବସିଲାଣି। ଧାନ ଜମିଗୁଡ଼ିକରେ ଅନାବନା ଗଛ ମାଡ଼ିଗଲାଣି। ଚାଷୀମାନେ ବର୍ଷାକୁ ଅନାଇ ଜମିକୁ ଯାଉନାହାନ୍ତି। କୂଅ, ପୋଖରୀ, ନଦୀ, ନାଳ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକରେ ଜଳସ୍ତର ବହୁ ତଳେ ରହିଛି। ଏ ଅଞ୍ଚଳରେ ଜଳସେଚିତ ଜମିର ପରିମାଣ କମ୍‌। ଗତ କିଛିଦିନ ଧରି ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଧାନ ବିଲରେ ଗୋରୁ ଚରୁଛନ୍ତି। ଏହି ପରିସ୍ଥିତି ଯଦି ଆଉ କିଛିଦିନ ଲାଗିରହେ ତେବେ ଅବସ୍ଥା ଅଣାୟତ୍ତ ହୋଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ବିଶେଷ କରି ସିଧାମୂଳା ଓ ଅନ୍ୟ କେତେକ ପଞ୍ଚାୟତର ଢିପ ସ୍ଥାନରେ ଥିବା ଧାନଜମି ଆବଶ୍ୟକ ବର୍ଷା ଅଭାବରୁ ଧାନ ଗଛ ମରିବାକୁ ବସିଲାଣି। ବିଗତ ବର୍ଷ ସିଧାମୂଳା ଅଞ୍ଚଳରେ ଗଜା ମରୁଡି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତଦନ୍ତ ନ କରି ଭଲ ଧାନ ଫସଲ ହୋଇଛି ବୋଲି ରିପୋର୍ଟ ପ୍ରଦାନ କରିଥିବାରୁ ଚାଷୀମାନେ ସରକାରୀ ସହାୟତା ପାଇବାରୁ ବଞ୍ଚତ୍ତ ହୋଇଥିବା ସିଧାମୂଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ରଣା ଓ ଅନେକ ଚାଷୀ ଅଭିଯୋଗ କରିଛନ୍ତି ା ଏହାଛଡା ଅଞ୍ଚଳର ଧାନ ଜମି ଏବେ ପାଣି ବିନା ଫାଟିବାକୁ ବସିଲାଣି ଓ ଜମିରେ ଗୋରୁ ଚରୁଥିବା ସେମାନେ ପ୍ରକାଶ କରିଛନ୍ତି ା

Share