Categories: ଜାତୀୟ

ଶ୍ରାବଣ ମାସରେ ମୁସଲମାନ୍‌ ଡେଲିଭରୀ ବୟଠାରୁ ଖାଦ୍ୟ ଗ୍ରହଣ କଲେ ନି ଗ୍ରାହକ: ଖାଦ୍ୟର ନାହିଁ ଧର୍ମ, ଖାଦ୍ୟ ହିଁ ଧର୍ମ ଜବାବ ଦେଲା ଜୋମାଟୋ

ନୂଆଦିଲ୍ଲୀ,୩୧।୭: ଜୋମାଟୋ ଅନ୍‌ଲାଇନ୍‌ ଫୁଡ୍‌ ସର୍ଭିସ୍‌ ଦ୍ୱାରା ପଠାଯାଇଥିବା ଖାଦ୍ୟକୁ ଅମିତ୍‌ ଶୁକ୍ଳା ନାମକ ଜଣେ ବ୍ୟକ୍ତି ଫେରାଇ ଦେଇଛନ୍ତି। ଡେଲିଭରୀ ବୟ ମୁସଲମାନ୍‌ ଥିବାରୁ ଅମିତ୍‌ ଶ୍ରାବଣ ମାସରେ ଏହା ଗ୍ରହଣ କରିବାକୁ ମନା କରିଥିଲେ। ଏନେଇ ଅମିତ୍‌ ଜୋମାଟୋକୁ ଟୁଇଟ୍‌ କରି ଜଣାଇଥିଲେ। ତେବେ ଜୋମାଟୋର ପ୍ରତିଷ୍ଠାତା ଅମିତଙ୍କ ଟୁଇଟ୍‌ର କଡ଼ା ଜବାବ୍‌ ଦେଇଛନ୍ତି। ପ୍ରତିଷ୍ଠାତା ଦିପେନ୍ଦ୍ର ଗୋୟଲ କହିଛନ୍ତି ଯେ, ଖାଦ୍ୟର କୌଣସି ଧର୍ମ ନ ଥାଏ। ଖାଦ୍ୟ ସ୍ବୟଂ ହିଁ ଧର୍ମ। କମ୍ପାନୀ ଭାରତ ଭଳି ଧର୍ମ ନିରପେକ୍ଷ ରାଷ୍ଟ୍ରରେ କାରବାର ଜାରି ରଖିଛି। ତେଣୁ କୌଣସି ଗ୍ରାହକଙ୍କ ପାଇଁ ଆମେ ନିଜକୁ ବଦଳାଇ ପାରିବୁ ନାହିଁ ବୋଲି ଦିପେନ୍ଦ୍ର ଟୁଇଟ୍‌ କରିଥିଲେ। ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବା ପରେ ବହୁ ଲୋକ ସମାଜରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରୁଥିବା ଅମିତ୍‌ଙ୍କ ଭଳି ବ୍ୟକ୍ତିଙ୍କ ଟୁଇଟର ଆକାଉଣ୍ଟ୍‌ ବନ୍ଦ କରିଦିଆଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Share