ଶ୍ରାବଣ ମାସ ପ୍ରଥମ ସୋମବାର ଶ୍ରୀଲିଙ୍ଗରାଜଙ୍କ ପୀଠରେ ୩ ହଜାର କାଉଡ଼ିଆ

ପୁରୁଣା ଭୁବନେଶ୍ୱର,୨୩। ୭(ଡି.ଏନ.ଏ.): ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରାୟ ୩ ହଜାର ୪୦ ଜଣ କାଉଡ଼ିଆ ଜଳଲାଗି କରିଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ଶ୍ରାବଣ ୪ ପାଳି ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ସାଢେ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପୂର୍ଣ୍ଣ ହୋଇଥିଲା। ପରେ ପ୍ରାତଃ ୪ ଟାରେ ସାହାଣମେଲା ଦର୍ଶନ ଜାରି ରହିଥିଲା। ଏହି ଅବସରରେ ରାତିରୁ ରାଜ୍ୟ ଏବଂ ବାହାରୁ ଆସି ଧାଡ଼ିରେ ଅପେକ୍ଷା କରିଥିବା କାଉଡ଼ିଆ ଭକ୍ତମାନେ ଜଳଲାଗି କରିଥିଲେ। ତେଣୁ ସୋମବାର ଏତଦ୍‌ବ୍ୟତୀତ ଅନ୍ୟ ମନ୍ଦିରଗୁଡିକରେ ମଧ୍ୟ କେତେଜଣ ବୋଲବମ୍‌ ଭକ୍ତ ଜଳଲାଗି କରିଥିବା ଦେଖିବାକୁ ମିଳିଥିଲା। ସୂଚନାଥାଉ କି ଏହି ଭକ୍ତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ୧୦ ଟଙ୍କାର ଟିକେଟ୍‌ କାଟିବା ପରେ ଜଳ ଲାଗି କରିବାକୁ ଦିଆଯାଇଥିଲା।
ମନ୍ଦିରକୁ ମନା ଦୋକାନୀକୁ କ୍ଷମା
ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସୁଥିବା କାଉଡ଼ିଆମାନେ ପ୍ଲାଷ୍ଟିକ ଢାଳରେ ଜଳ ଲାଗି କରିବାକୁ ଯିବା ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ପରେ ଭକ୍ତମାନେ ଏଥିରୁ ନିବୃତ୍ତ ରହିଥିଲେ। ହେଲେ ମନ୍ଦିର ସମ୍ମୁଖରେ ଦୋକାନୀଭାଇମାନେ ପ୍ଲାଷ୍ଟିକ୍‌ ଢାଳ ବିକ୍ରି କରିବା ଉପରେ କୌଣସି ରୋକ ଲଗାଯାଇ ନ ଥିଲା। ଖୋଲା ବଜାରରେ ଦୋକାନ ସମ୍ମୁଖରେ ପ୍ଲାଷ୍ଟିକ୍‌ ପଦାର୍ଥ ବିକ୍ରି କରିବାର ଦେଖିବାକୁ ମିଳିଥିଲା। ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଗଲେ ମନ୍ଦିର ଭିତରକୁ ଆମୀଷ ନିଷେଧ ଥିବାବେଳେ ମନ୍ଦିର ଚତୁଃପାର୍ଶ୍ୱରେ ଫାଷ୍ଟ ଫୁଡ଼ ଦୋକାନରେ ଆମିଷ ବିକ୍ରି କରିବା କେତେଦୂର ଯଥାର୍ଥ ସେଭଳି ଉଦାହରଣରେ ପ୍ଲାଷ୍ଟିକ୍‌ ଦ୍ରବ୍ୟ ବିକ୍ରି କରିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଶ୍ରୀଲିଙ୍ଗରାଜ ଟ୍ରଷ୍ଟବୋର୍ଡ଼ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ମନ୍ଦିର ଭିତରକୁ ପ୍ଲାଷ୍ଟିକ୍‌ ଦ୍ରବ୍ୟ ବା ପଲିଥିନ ବିଏମ୍‌ସି ପକ୍ଷରୁ ବନ୍ଦ କରାଯାଇଛି। ଏଥିରେ ଆମେ କିଛି କରିପାରିବୁ ନାହିଁ।
ଅଚେତ ହେଲେ ନାବାଳିକା କାଉଡ଼ିଆ
ଶ୍ରୀଲିଙ୍ଗରାଜ ମନ୍ଦିରକୁ ଜଳଲାଗି କରିବାକୁ ଆସିଥିବା କଟକ ବକ୍ସିବଜାର ଅଞ୍ଚଳର ବି. ରେଖା (୧୪) ହଠାତ୍‌ ମନ୍ଦିର ଭିତରେ ମୂର୍ଚ୍ଛା ହୋଇଥିଲେ। ପ୍ରବଳ ଗୁଳୁଗୁଳି ଖରା ଯୋଗୁ ମୂର୍ଚ୍ଛା ଯାଇଥିବା ଏହି ନାବାଳିକା ଭକ୍ତଙ୍କୁ ମନ୍ଦିର ଭିତରେ ସଫେଇ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରୁଥିବା ପ୍ରଦୀପ ସେବା ଟ୍ରଷ୍ଟ ସଦସ୍ୟାସଦସ୍ୟମାନେ ତାଙ୍କୁ ଗହଳିରୁ ଉଦ୍ଧାର କରି ନିକଟସ୍ଥ ବିଏମସି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ଜଗିିଲେ ୧୨ ପ୍ଲାଟୁନ ଫୋର୍ସ
ପ୍ରାୟ ୩ ହଜାର ୪୦ କାଉଡ଼ିଆ ଏବଂ ୪ ହଜାର ସାଧାରଣ ଭକ୍ତ ପାଇଁ ଶ୍ରାବଣର ପ୍ରଥମ ସୋମବାର ଭିଡ଼କୁ ନିୟନ୍ତ୍ରଣ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ୧୨ ପ୍ଲାଟୁନ ପୋଲିସ୍‌ ଫୋର୍ସ ଏଥିପାଇଁ ମନ୍ଦିର ଏବଂ ବାହାରେ ବିଭିନ୍ନ ଟ୍ରାଫିକ୍‌ ସ୍ଥଳରେ ନିୟୋଜିତ ହୋଇଥିଲେ। ୫୨ ଜଣ ଏଏସ୍‌ଆଇ, ୧୦ ଇନ୍ସପେକ୍ଟର, ୫ ଜଣ ଏସିପି ୨ଜଣ ଡିସିପି, ୬୦ ଜଣ ହୋମଗାର୍ଡ଼, ୫୦ ଜଣ କନଷ୍ଟେବଳ ନିୟୋଜିତ ଥିଲେ ବୋଲି ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

Share