ଶ୍ରୀଅଲାରନାଥଙ୍କ ପୀଠରେ ମକର ନୀତି ସମ୍ପନ୍ନ

ବ୍ରହ୍ମଗିରି,୧୬ା୧(ଡି.ଏନ୍‌.ଏ.): ପବିତ୍ର ମକର ସଂକ୍ରାନ୍ତିରେ ବୁଧବାର ଶ୍ରୀଅଲାରନାଥଙ୍କ ପୀଠରେ ସ୍ବତନ୍ତ୍ର ମକର ନୀତି ଅନୁଷ୍ଠିତ ହୋଇଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ, ତୁଳସୀ ଚନ୍ଦନ ଲାଗି, ବଲ୍ଲଭ ନୀତି ହେବାପରେ ସ୍ବତନ୍ତ୍ର ଭାବେ ପହିଲି ଭୋଗ ଧୂପ କରାଯାଇଥିଲା। ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ କରିଥିଲେ। ସାଢେ ୧୨ଟାରେ ସକାଳ ଧୂପ, ସାଢେ ୧ଟା ରେ ଦ୍ୱିପ୍ରହର ଧୂପ ହୋଇଥିଲା। ପରେ ସ୍ବତନ୍ତ୍ର ମକର ଚାଉଳ ଭୋଗ ଲାଗି ହୋଇଥିଲା। ଅପରାହ୍ନ ୩ଟାରେ ୫ଜଣ ସେବାୟତ ରୋଷଘରେ ଥିବା ପାଞ୍ଚ ତାଟକୁ ମନ୍ଦିର ଚାରି ପାଖରେ ପରିକ୍ରମା କରାଇଥିଲେ। ସୁଶୋଭିତ ପାଲିଙ୍କିରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କୁ ବିଜେ କରାଯାଇ ମନ୍ଦିର ଚାରି ପାଖରେ ତିନିଘେରା ପରିକ୍ରମା କରାଯାଇଥିଲା। ସ୍ବତନ୍ତ୍ର ମକର ବେଢା ନୀତି ସରିବା ପରେ ଚଳନ୍ତି ପ୍ରତିମା ଭକ୍ତଙ୍କୁ ଦର୍ଶନ ଦେଇ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସନ୍ଧ୍ୟା ଆଳତି ପରେ ପୁଣି ସର୍ବସାଧାରଣ ଦର୍ଶନ କରିଥିଲେ।