ଆସୁଛି ଜନ୍ମାଷ୍ଟମୀ। ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସାରା ଦେଶରେ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତକୁ ନେଇ ଅନେକ ପୌରାଣିକ ଆଖ୍ୟାନ ଥିବା ବେଳେ ଭଗବାନ୍ ଶ୍ରୀକୃଷ୍ଣଙ୍କ ହାତରେ କାହିଁକି ବଂଶୀ ଥାଏ, ତାହାର ରହସ୍ୟ ଅନେକଙ୍କୁ ଜଣା ନ ଥିବ। ତେବେ ଏହାକୁ ନେଇ କିଛି ଲୋକକଥା ମଧ୍ୟ ରହିଛି। କୁହାଯାଏ, ଶ୍ରୀକୃଷ୍ଣ ଯେତେବେଳେ ଯମୁନା ନଦୀକୂଳରେ ବସି ବଂଶୀ ବଜାଉଥିଲେ, ସେତେବେଳେ ଦୂରରେ ଥିବା ଗୋପାଙ୍ଗନାମାନେ ତାଙ୍କ ବଂଶୀର ସୁମଧୁର ସ୍ବର ଶୁଣି ତାଙ୍କ ନିକଟକୁ ଚାଲି ଆସୁଥିଲେ। ଆଉ ଗୋପୀଙ୍କ ସହ ଶ୍ରୀକୃଷ୍ଣ କଥାରେ ବିଭୋର ହୋଇଯିବା ପରେ ଗୋପୀମାନେ କୌଶଳକ୍ରମେ ତାଙ୍କ ବଂଶୀକୁ ନେଇ ଯାଇଥିଲେ। ବଂଶୀକୁ ପ୍ରଶ୍ନ କରିଥିଲେ, ‘ତୁ କ’ଣ ଏମିତି ପୁଣ୍ୟ କରିଛୁ ଯେ, ଦୈନିକ କୃଷ୍ଣଙ୍କ ଫୁଲ ଭଳି କୋମଳ ଓଠକୁ ଛୁଇଁପାରୁଛୁ’। ଏହାଶୁଣି ବଂଶୀ ସାମାନ୍ୟ ହସିଦେବା ସହ କହିଥିଲା, କୃଷ୍ଣଙ୍କ ନିକଟତର ହେବାକୁ ମୁଁ କେଉଁ କାଳରୁ ଅପେକ୍ଷା କରି ରହିଥିଲି। ତ୍ରେତୟା ଯୁଗରେ ଯେତେବେଳେ ପ୍ରଭୁ ଶ୍ରୀରାମ ବନବାସରେ ଥିଲେ, ସେତେବେଳେ ମୋର ତାଙ୍କ ସହ ଭେଟ ହୋଇଥିଲା। ସେହି ସମୟରେ ତାଙ୍କ ନିକଟରେ ବହୁ କୋମଳ ଓ ମନମୋହକ ଫୁଲ ଥିଲେ ମଧ୍ୟ ସେ ମୋତେ ସେମାନଙ୍କ ଭଳି ସମାନ ଦୃଷ୍ଟିରେ ଦେଖୁଥିଲେ। ମୋର କଠୋରତା ପ୍ରଭୁଙ୍କ ପାଇଁ କୌଣସି ମାନେ ରଖି ନ ଥିଲା। ଆଉ ତାଙ୍କର ପ୍ରେମ ସ୍ପର୍ଶ ପାଇବା ପରେ ତାଙ୍କ ନିକଟରେ ଜୀବନସାରା ରହିବାକୁ କାମନା କରିଥିଲି। ହେଲେ ପ୍ରଭୁ ସେ ସମୟରେ ନିଜ ମର୍ଯ୍ୟାଦା ସହ ବନ୍ଧା ହୋଇଥିବା ବେଳେ ଦ୍ୱାପର ଯୁଗରେ ସେ ମୋତେ ତାଙ୍କ ପାଖରେ ରଖିବେ ବୋଲି କଥା ଦେଇଥିଲେ। ଏଣୁ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଅବତାରରେ ସେ ବଂଶୀକୁ ପିଲାଦିନୁ ପାଖରେ ରଖିଥିଲେ ବୋଲି ବଂଶୀ ଗୋପୀଙ୍କୁ କହିଥିଲା। ତେବେ ଲୋକକଥା ଅନୁଯାୟୀ, ବଂଶୀର ସୁମଧୁର ସ୍ବର ସହ ଜୀବନର ଅନେକ କଥା ଜଡିତ ହୋଇ ରହିଛି। କାରଣ ବଂଶୀ ଏତେ କଠିନ ହୋଇ ମଧ୍ୟ ତା’ ନିକଟରୁ କେତେ ସୁମଧୁର ସ୍ବର ବାହାରି ପାରୁଛି। ଏହାସହ ବଂଶୀରେ କୌଣସି ଗଣ୍ଠି ନାହିଁ। ଏହାର ଅର୍ଥ ହେଉଛି, ମନରେ କୌଣସି ବି ଗଣ୍ଠି ବା ଦ୍ୱନ୍ଦ୍ୱ ନ ରଖି ଯିଏ ଯେମିତି ବ୍ୟବହାର ଦେଖାଉନା କାହିଁକି ନିଜ ବ୍ୟବହାରରେ କେବେବି ପରିବର୍ତ୍ତନ ଆଣିବା ଠିକ୍ ନୁହେଁ ବୋଲି କୁହାଯାଏ।