ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିବାକୁ ଚକ୍ରାନ୍ତ: ବ୍ରଜ ତ୍ରିପାଠୀ

ପୁରୀ ଅଫିସ୍‌,୫।୯:ପୁରୀରେ ଶ୍ରୀମନ୍ଦିର ସୁରକ୍ଷା ସୌନ୍ଦର୍ଯ୍ୟକରଣ ନାଁରେ ଚାଲିଥିବା ଉଚ୍ଛେଦକୁ ଶ୍ରୀକ୍ଷେତ୍ର ସୁରକ୍ଷା ଅଭିଯାନ ବିରୋଧ କରିଛି। ସରକାର ମନମୁଖି ଭାବେ ଏଭଳି ବେଆଇନ କାର୍ଯ୍ୟ ଚଳାଇଛନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି। ଗୁରୁବାର ଶ୍ରୀକ୍ଷେତ୍ର ସୁରକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ତ୍ରିପାଠୀ କହିଥିଲେ ଯେ, ମେଘନାଦ ପାଚେରି କଡରୁ ୭୫ମିଟର ପରିଧି ମଧ୍ୟରେ ଉଚ୍ଛେଦ ଲାଗି ସୁପ୍ରିମକୋର୍ଟ କହିନାହାନ୍ତି। ରାଜ୍ୟ ସରକାର ଜିଲା ପ୍ରଶାସନକୁ ମାଧ୍ୟମ କରି ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଭାବେ ପୁରୀରେ ଏଭଳି ଦମନଲୀଳା ଚଳାଇଛନ୍ତି। ପୁରୀ ପାଇଁ ଯେଉଁ ପ୍ୟାକେଜ୍‌ ଘୋଷଣା କରାଯାଇଛି ରାଜ୍ୟ ବଜେଟରେ ଏନେଇ କୌଣସି ବ୍ୟବସ୍ଥା ନାହିଁ। ପୁରୀବାସୀଙ୍କୁ ଭୁଆଁ ବୁଲାଇବା ଏବଂ ପୁରୀର ଅର୍ଥନୈତିକ ପ୍ରଗତିକୁ ଅଚଳ କରିଦେବା ଲାଗି ଏଭଳି ଷଡଯନ୍ତ୍ର ହୋଇଛି। ଫନୀ କ୍ଷତିଗ୍ରସ୍ତ ପୁରୀ ସହରବାସୀଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଏହା ବଜ୍ର ଆଘାତ। ଏହାଦ୍ୱାରା ପୁରୀରେ ବ୍ୟାଙ୍କିଙ୍ଗ୍‌ କାରବାର ଏବଂ ଅର୍ଥନୈତିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବିତ ହେବ। ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିବା ପାଇଁ ଏହା ଏକ ଚକ୍ରାନ୍ତ ଓ ଅପରିଣାମଦର୍ଶୀ ପଦକ୍ଷେପ ବୋଲି ତ୍ରିପାଠୀ ଅଭିଯୋଗ କରିଛନ୍ତି।

Share