ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା: ନାରାୟଣୀ ମନ୍ଦିରକୁ ବିଜେ ହେଲେ ଦୁର୍ଗାମାଧବ

ପୁରୀ ଅଫିସ, ୧।୧୦: ଶ୍ରୀମନ୍ଦିରରେ ଚାଲିଛି ଦୁର୍ଗାମାଧବ ଉପାସନା। ସୋମବାର ମା’ ବିମଳାଙ୍କ ପୀଠରୁ ଦୁର୍ଗାମାଧବ ରଥାକୃତି ବିମାନରେ ବିଜେ ହୋଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥିଲେ। ସେଠାରେ ନୀତି ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିରରେ ରାତ୍ର ଚନ୍ଦନ ଲାଗି ବଢିବା ପରେ ଦୁର୍ଗାମାଧବ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।
ସକାଳ ଧୂପ ବଢିବା ପରେ ଦୁର୍ଗାମାଧବ ଜୟ ବିଜୟ ଦ୍ୱାର ଦେଇ ଝୁଲଣ ମଣ୍ଡପଠାରେ ଥିବା ବିମାନରେ ବିଜେ କରିଥିଲେ। ଘଣ୍ଟ, ଛତା, କାହାଳୀ ଓ ବୈଜୟନ୍ତୀ ପଟୁଆରରେ ବିମାନକୁ ସିଂହଦ୍ୱାର ଦେଇ ଦୋଳମଣ୍ଡପ ସାହିକୁ ବିଜେ କରାଯାଇଥିଲା। ଏହି ସମୟରେ ବିଭିନ୍ନ ସ୍ଥାନରେ ପାରମ୍ପରିକ ପନ୍ତି ଅନୁଷ୍ଠିତ ହୋଇଥିଲା। ବିମାନକୁ ମା’ ନାରାୟଣୀଙ୍କ ମନ୍ଦିର ପରିସରକୁ ବିଜେ କରାଯାଇଥିଲା। ମନ୍ଦିର ଭିତର ଖଟରେ ଦୁର୍ଗାମାଧବ ବିଜେ କରିବା ପରେ ଭିତରଚ୍ଛ ମହାପାତ୍ର ରୁପା ପିଙ୍ଗଣରେ କର୍ପୂର ଜଳ ଲାଗି କରାଇଥିଲେ। ଶୀତଳ ଭୋଗ ମଣୋହି ହୋଇ ବନ୍ଦାପନା ହୋଇଥିଲା। ଶ୍ରୀମନ୍ଦିରରେ ରାତ୍ର ଚନ୍ଦନ ଲାଗି ହେବା ପରେ ଦୁର୍ଗାମାଧବ ପାଲିଙ୍କିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ହୋଇ ଭଣ୍ଡାରକୁ ବିଜେ କରିଥିଲେ। ଏହି ଉପାସନାକୁ ଗୁପ୍ତ ଗୁଣ୍ଡିଚା ବା ଶାକ୍ତ ଗୁଣ୍ଡିଚା କୁହାଯାଏ। ଦୁର୍ଗାମାଧବ ଏଭଳି ଭାବେ ନବମୀ ପର୍ଯ୍ୟନ୍ତ ନାରାୟଣୀ ମନ୍ଦିରକୁ ବିଜେ କରିବେ।
ସୂଚନାଯୋଗ୍ୟ, ମୂଳାଷ୍ଟମୀଠାରୁ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ବିମଳାଙ୍କ ଷୋଳପୂଜା ଆରମ୍ଭ ହୋଇଛି। ସେହିଦିନଠାରୁ ଦୁର୍ଗାମାଧବ ରୁନ୍ଧା ହୋଇ ପୂଜା ପାଉଛନ୍ତି। ଶ୍ରୀଦୁର୍ଗାମାଧବ ଷୋଳପୂଜାରେ ପ୍ରଥମ ୮ଦିନ ମା’ ବିମଳାଙ୍କ ମନ୍ଦିରକୁ ଏବଂ ଏହାପରେ ନବମୀ ପର୍ଯ୍ୟନ୍ତ ଦୋଳମଣ୍ଡପ ସାହିସ୍ଥ ମା’ ନାରାୟଣୀଙ୍କ ମନ୍ଦିରକୁ ବିଜେ କରିଥାନ୍ତି।

Share