ଶ୍ରୀଜଗନ୍ନାଥଙ୍କ ଟଙ୍କା ଫେରାଇ ଆଣିବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ଗୁରୁତର ଆର୍ଥତ୍କ ସଙ୍କଟରେ ଥିବା ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରହିଥିବା ସମଗ୍ର ବିଶ୍ୱରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଅତ୍ୟନ୍ତ ସମ୍ବେଦନ ଓ ସ୍ପର୍ଶକାତର ବିଷୟ ଅଟେ। ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଆମ ଓଡ଼ିଆ ଜାତି ପାଇଁ ଏକ ନିନ୍ଦନୀୟ ଘଟଣା। ଚିଟ୍‌ଫଣ୍ଡ ପରେ ଏବେ ଶ୍ରୀଜଗନ୍ନାଥଙ୍କ ହୁଣ୍ଡି ଉପରେ ସରକାରଙ୍କ ଲକ୍ଷ୍ୟ ଥିବା କଂଗ୍ରେସ ଅଭିଯୋଗ କରିଛି। ତେଣୁ ଉକ୍ତ ଅର୍ଥକୁ ୟେସ ବ୍ୟାଙ୍କରୁ ଫେରସ୍ତ ଆଣି ଜାତୀୟକରଣ ବ୍ୟାଙ୍କରେ ଜମା ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ତୁରନ୍ତ ନିର୍ଦ୍ଦେଶ ଦେବା ଏବଂ ଏହି ଘଟଣାର ନିରପେକ୍ଷ ତଦନ୍ତ, ମନ୍ଦିର ଟଙ୍କା ଘରୋଇ ବ୍ୟାଙ୍କରେ ରଖିବା ଦୁର୍ନିତୀରେ ଜଡ଼ିତ ଥିବା ଅଧିକାରୀଙ୍କ ବିରୋଧରେ ସିବିଆଇ ଦ୍ୱାରା ତଦନ୍ତ ଦାବି କରି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପାଇଁ ଶୁକ୍ରବାର ପୁରୀ ଜଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ରାଜଭବନଠାରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସହିତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଜିଲା କଂଗ୍ରେସ କମିଟି ପ୍ରାକ୍ତନ ସଭାପତି ତଥା ଏଆଇସିସି ସଭ୍ୟ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର, ବିରେନ୍ଦ୍ର ଭୂଷଣ ହୋତା ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି।

Share