ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ: ଦୁଇଦିନିଆ କର୍ମଶାଳା, ପ୍ରଶିକ୍ଷଣ ଉଦ୍‌ଘାଟିତ

ପୁରୀ ଅଫିସ, ୧୩ା୧୨: ସ୍ଥାନୀୟ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦ୍ୱିଦିବସୀୟ କାର୍ଯ୍ୟକର୍ତ୍ତା କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ଉଦ୍‌ଘାଟିତ ହୋଇଛିି। ଉଦ୍‌ଘାଟନୀ ସମାରୋହରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ମୁଖ୍ୟଅତିଥି ଏବଂ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା ଯୋଗଦେଇଥିଲେ। ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସମହାରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରତିଷ୍ଠାନର ମହାସଚିବ ରବୀନ୍ଦ୍ର ନାଥ ପ୍ରତିହାରୀ ପ୍ରଶିକ୍ଷଣର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଗବେଷକ ଡ. ନରେଶ ଚନ୍ଦ୍ର ଦାଶ ଶ୍ରୀଜଗନ୍ନାଥଙ୍କ ଧ୍ୟାନ ଆବୃତ୍ତି କରିଥିଲେ। କାର୍ଯ୍ୟକାରୀ ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜ କର୍ମଶାଳା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ କହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଭିଡିଓ ମାଧ୍ୟମରେ ଆଶୀର୍ବଚନ ପ୍ରଦାନ କରିଥିଲେ। ବାବା ସଚ୍ଚିଦାନନ୍ଦ ଦାସ ମହାରାଜ ଓ ବାବା ସତ୍ୟାନନ୍ଦ ଦାସ ବ୍ରହ୍ମଚାରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ତତ୍ତ୍ବ ଓ ମହିମା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମହନ୍ତ ଡ. ରାମଚରଣ ଦାସ ଓ ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ ସ୍କନ୍ଦ ପୁରାଣରେ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପ୍ରତିଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୁଦର୍ଶନ ନାୟକ ଏବଂ ସାଙ୍ଗଠନିକ ବ୍ୟବସ୍ଥା ଓ ସାଙ୍ଗଠନିକ ପରିଚାଳନା ସମ୍ବନ୍ଧରେ ଡା. କରୁଣାକର ପ୍ରଧାନ ଓ ରାଧେଶ୍ୟାମ ପଣ୍ଡା ବକ୍ତବ୍ୟ ରଖିଥିଲେ। ଡ. ଅସୀତ ମହାନ୍ତି ପ୍ରଚାର ଓ ପ୍ରସାର ଏବଂ ପ୍ରଫେସର ଡ. ଦିବାକର ମହାପାତ୍ର ସେବାପୂଜା ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ପାରମ୍ପରିକ ଭଜନ ପରିବେଷଣ କରାଯାଇଥିଲା। ଏଥିରେ ଓଡ଼ିଶା ଏବଂ ବାହାରୁ ବହୁ ସଂଖ୍ୟକ କର୍ମକର୍ତ୍ତା ଓ ସଦସ୍ୟ ଅଂଶଗ୍ରହଣ କରିଛନ୍ତିି।