ଶ୍ରୀଜଗନ୍ନାଥ ବଲ୍ଲଭ ମଠ : ୧୬ କୋଟିର ଅନିୟମିତତା ଅଭିଯୋଗ

ପୁରୀ ଅଫିସ, ୭ା୮: ଶ୍ରୀମନ୍ଦିର ରୀତିନୀତି ସହିତ ଜଡ଼ିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠ। ଏହି ମଠର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ପ୍ରାୟ ୧୬କୋଟି ଟଙ୍କାର ଆର୍ଥତ୍କ ଅନିୟମିତତା ହୋଇଥିବା ନେଇ ମଙ୍ଗଳବାର ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଛି। ପୁରୀ ସଚେତନ ନାଗରିକ ମଞ୍ଚର ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ ଏହି ଅଭିଯୋଗ କରିଛନ୍ତି। ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠର ଆର୍ଥତ୍କ ଅନିୟମିତତା ସମ୍ପର୍କରେ ଅଡିଟ୍‌ରୁ ଜଣାପଡ଼ିଛି। ମଠ ପରିଚାଳନା ବୋର୍ଡ ସଭାପତି ଏବଂ ୬ଜଣ ଅଧିକାରୀଙ୍କ ଅମଳରେ ୧୬କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆୟବ୍ୟୟ ହିସାବ ଉପରେ ଆପତ୍ତି ଉଠାଇଛନ୍ତି ଅଡିଟର। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଆଇନଜୀବୀ ଦାଶ ଦାବି କରିଛନ୍ତି।
ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଅଡିଟ ରିପୋର୍ଟ ନଂ. ୨୪୩୩/୨୭.୩. ୨୦୧୯ ଏବଂ ଓଡ଼ିଶା ଦେବୋତ୍ତର କମିଶନଙ୍କ ପତ୍ରାଙ୍କ ନଂ. ୩୦୩୦/ତା ୨୦.୪. ୨୦୧୯ରିଖର ୮୫ପୃଷ୍ଠା ସମ୍ବଳିତ ରିପୋର୍ଟରେ ଆର୍ଥତ୍କ ଅନିୟମିତତା ସମ୍ପର୍କରେ ଉଲ୍ଲେଖ ହୋଇଛି। ମଠ ଖାତାରୁ ଅନଧିକାର ଓ ବେଆଇନ ଭାବେ ଟଙ୍କା ଉଠାଣ, ବିଭିନ୍ନ ନିଲାମ ବାବଦରେ ହେରଫେର, ପରିଷଦର ବିନା ସୁପାରିଶରେ କାର୍ଯ୍ୟ କରିବା, ବିଭିନ୍ନ ବାବଦରେ ପଇଠ କରାଯାଇଥିବା ଅର୍ଥର ରସିଦ୍‌ ନ ଥିବା, ପାର୍କିଂ ଆଦାୟ ଟଙ୍କା ଆକାଉଣ୍ଟରେ ଜମା ହୋଇ ନ ଥିବା, ବିଭିନ୍ନ ବାବଦରେ ଆଦାୟ ଅର୍ଥ ମଠ ହିିସାବରେ ଜମା ନ ରହିବା, କିଣାଯାଇଥିବା ସାମଗ୍ରୀର ଠିକ୍‌ ତଥ୍ୟ ରଖା ନ ଯିବା ଆଦି ୬୦ରୁ ଊର୍ଦ୍ଧ୍ୱ ବିଭିନ୍ନ ବାବଦ ଆଦାୟ ଅର୍ଥରେ ଅନିୟମିତତା ହୋଇଥିବା ନେଇ ଅଡିଟର ଆପତ୍ତି ଉଠାଇଥିବା ଏଥିରେ ଦର୍ଶାଯାଇଛି।

Share