ଶ୍ରୀଜୀଉଙ୍କ ସକାଳ ସାଢେ ୯ଟାରୁ ନୀତି ବନ୍ଦ: ହେଲାନି ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ପୁରୁଣା ଭୁବନେଶ୍ୱର, ୧।୩(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨୦୧୫ରୁ ବନ୍ଦ ରହିଥିବା ହାଣ୍ଡିଭଙ୍ଗା ଯାତ୍ରା ଚଳିତବର୍ଷ ସମ୍ପାଦନ ପାଇଁ ପ୍ରଶାସନର ସମସ୍ତ ଚେଷ୍ଟା ବିଫଳ ହୋଇଛି। ପ୍ରତ୍ୟେକ ବର୍ଷ ମହାଶିବରାତ୍ରି ପରେ ପ୍ରଥମ ଶନିବାର ପାରମ୍ପରିକ ରୀତିନୀତି ଅନୁସାରେ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହିଦିନ ଶ୍ରୀଜୀଉମାନେ କପିଳେଶ୍ୱରସ୍ଥିତ ଶ୍ରୀକପିଳେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି। ମାତ୍ର କପିଳେଶ୍ୱର ମନ୍ଦିରରେ ମଲିଆ ଏବଂ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଏହି ହାଣ୍ଡିଭଙ୍ଗା ଯାତ୍ରାରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ଏହାକୁ ପୁଣି କାର୍ଯ୍ୟକାରୀ କରିବାକୁ ଦେବୋତ୍ତର ବିଭାଗ, ମନ୍ଦିର ପ୍ରଶାସନ, ସେବାୟତମାନେ ଚଳିତବର୍ଷ ଚେଷ୍ଟା ଚଳାଇଥିଲେ। ମାତ୍ର ପ୍ରଶାସନର ଚେଷ୍ଟା ସତ୍ତ୍ୱେ ହାଣ୍ଡିଭଙ୍ଗା ଯାତ୍ରା ହୋଇପାରିନାହିଁ।

ପୂର୍ବରୁ ସେବାୟତମାନେ ହାଣ୍ଡି ଭଙ୍ଗାଯାତ୍ରା ଯଦି ଚଳିତବର୍ଷ ନ ହେବ ତେବେ ନୀତିରେ ଅସହଯୋଗ କରାଯିବ ବୋଲି ମନ୍ଦିର ପ୍ରଶାସନକୁ ପତ୍ର ମାଧ୍ୟମରେ ଜଣାଇଥିଲେ। ସେହି ଅନୁଯାୟୀ, ଶନିବାର ସକାଳୁ ଠାକୁରଙ୍କ ସାଢେ ୬ଟାରୁ ମଙ୍ଗଳ ଆଳତି, ଅବକାଶ କରାଯାଇ ସାଢେ ୯ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବଳବତ୍ତର ରହିଥିଲା। ମହାସ୍ନାନ ପରଠାରୁ ଠାକୁରଙ୍କ ନୀତି ବନ୍ଦ ହୋଇଥିଲା। ନୀତିରେ ଶୃଙ୍ଖଳା ଆଣିବାକୁ ଯାଇ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ପ୍ରମୁଖ ନିଯୋଗ ସେବାୟତଙ୍କୁ ଡକାଇ ଏକ ଜରୁରୀ ବୈଠକ ବସାଇଥିଲେ। ହେଲେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କୁହନ୍ତି, ଚଳିତବର୍ଷ ୧୦ରୁ ୧୨ଦିନ ପୂର୍ବରୁ ହାଣ୍ଡିଭଙ୍ଗା ଯାତ୍ରା କାର୍ଯ୍ୟକାରୀ କରିବାକୁ ଦେବୋତ୍ତର ବିଭାଗ ୪ ଗୋଟି ବୈଠକ ଡକାଇ ଥିଲା। ହେଲେ କପିଳେଶ୍ୱର ମନ୍ଦିରର ନିଯୋଗ ଦ୍ୱୟଙ୍କ ମଧ୍ୟରେ ତାଳମେଳ ନ ଥିବାରୁ ଏହା ସମ୍ଭବ ହୋଇପାରିଲା ନାହିଁ। ରବିବାରଠାରୁ ଶ୍ରୀଲିଙ୍ଗରାଜଙ୍କ ବନ୍ଦ ଥିବା ନୀତି ସମ୍ପାଦନ ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଦାଶ କହିଛନ୍ତି। ସୂଚନାଥାଉ କି ଏହି ଯାତ୍ରାପୁଣି ଆରମ୍ଭ କରିବାକୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ଶନିବାର ଧାରଣା ଦେଇଥିଲେ। ପ୍ରତ୍ୟେକ ବର୍ଷ ଠିକ ଶିବରାତ୍ରି ପରେ ଏହି ସମସ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସେବାୟତ, ପ୍ରଶାସନର ଯାତ୍ରାକୁ ସମ୍ପାଦନ ପାଇଁ ବିଭିନ୍ନ ପ୍ରତିବାଦ ଜଣାଇଥାନ୍ତି। କେହି ହେଲେ ବର୍ଷର ଅନ୍ୟଦିନରେ ଏଥିପ୍ରତି ଆନ୍ତରିକତା ଭାବେ ଚେଷ୍ଟା କରୁ ନ ଥିବାରୁ ଏଭଳି ଭାବେ ପ୍ରଶାସନ ଫେଲ ମାରୁଛି।

Share