ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ

ପୁରୀ ଅଫିସ, ୧୩ା୧:ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଶ୍ରୀନଅରଠାରେ ରବିବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ଏଥିରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହୋଇଥିଲା। ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ। ଗଜପତି ଏବଂ ମହାରାଣୀଙ୍କ ବନ୍ଦାପନା ପରେ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯାଇଥିଲା। ଗଜପତି ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ନଡ଼ିଆ ଏବଂ ପଇତା ପ୍ରଦାନ କରିବା ସହିତ ଆଶୀର୍ବାଦ ଦେଇଥିଲେ। ବିଜେ, କାହାଳୀ, ତେଲିଙ୍ଗି ବାଜା ଓ ଝାଞ୍ଜ ଆଦି ପାରମ୍ପରିକ ବାଦ୍ୟରେ ଶ୍ରୀନଅର ପ୍ରକମ୍ପିତ ହୋଇଥିଲା। ଏଥିରେ ବହୁ ସାଧୁସନ୍ଥ, ବ୍ରାହ୍ମଣ, ବୈଷ୍ଣବଙ୍କୁ ମହାପ୍ରସାଦ ସେବାରେ ଆପ୍ୟାୟିତ କରାଯାଇଥିଲା। ଏ ସମ୍ପର୍କରେ ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ କହିଛନ୍ତି, ଏହା ଶ୍ରୀନଅରର ଏକ ପାରମ୍ପରିକ ପର୍ବ। ପ୍ରଥମେ ପଞ୍ଚଦେବତା ପୂଜାଠାରୁ ଆରମ୍ଭ କରି ବିଭିନ୍ନ ଶାସ୍ତ୍ରୀୟ ପୂଜା କରାଯାଏ। ପରେ ଅଭିଷେକ ନୀତି ସମ୍ପନ୍ନ ହୁଏ। ଗଜପତିଙ୍କୁ ମଙ୍ଗଳାର୍ପଣ ଓ ପରେ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଏ। ଏହାପରେ ଗଜପତି ଗାଦି ଘରକୁ ବିଜେ କରନ୍ତି। ଷୋଳ ଶାସନ ବ୍ରାହ୍ମଣମାନେ ଆଣିଥିବା ପଇତା ପ୍ରଦାନ କରିବା ସହିତ ଆଶୀର୍ବାଦ ଦେଇଥାନ୍ତି। ଗଜପତିଙ୍କ ରାଜ୍ୟ ଶାସନ ଶୁଭ ମଙ୍ଗଳରେ ଚାଲୁ ଏବଂ ଜଗତର କଲ୍ୟାଣ ହେଉ ବୋଲି ବ୍ରାହ୍ମଣମାନେ ଆଶିଷ ପ୍ରଦାନ କରିଥାନ୍ତି।

Share