ପୁରୀ ଅଫିସ,୨୦।୬: ଦତ୍ତ ମହାପାତ୍ର ସେବକମାନେ ଶନିବାର ନିଜ ଘରୁ ଶ୍ରୀମନ୍ଦିରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡିପ୍ରସାଦ ଲାଗୁ ହୋଇଥିଲା। ପୂର୍ବାହ୍ନରେ ଦତ୍ତ ମହାପାତ୍ର ଏବଂ ଦଇତାପତି ସେବକ ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ କରାଇଥିଲେ। ରୂପା ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସୀ ଏବଂ ତିନୋଟି ରୂପା ପିଙ୍ଗଣରେ ଖଡ଼ିପ୍ରସାଦ ବିଜେ କରାଯାଇଥିଲା। ଏହାକୁ ଗଜପତିଙ୍କ ଗାଦିରେ ରଖାଯାଇଥିଲା। ଶ୍ରୀନଅରରେ ଖଡ଼ିପ୍ରସାଦ ବିଜେ ନୀତି ସମ୍ପୂର୍ଣ୍ଣ ହେବା ପରେ ରାଜଗୁରୁଙ୍କ ହାତରୁ ଶାଢ଼ି ନେଇ ପାଟ୍ଟଶାଣୀ ସେବକ ତଳୁଚ୍ଛ, ଦେଉଳକରଣ, ବେହେରାଖୁଣ୍ଟିଆ, ପତିି ମହାପାତ୍ର ଓ ତିନି ବାଡ଼ର ଦଇତାପତିଙ୍କୁ ବାନ୍ଧିଥିଲେ। ସେହିଭଳି ଶ୍ରୀମନ୍ଦିରରେ ବନକଲାଗି ନୀତି ମଧ୍ୟ ବଢ଼ିଥିଲା।