ଶ୍ରୀନଗର ବିମାନବନ୍ଦରରେ ୟେଚୁରୀ, ଡି.ରାଜାଙ୍କୁ ଅଟକ ପ୍ରସଙ୍ଗ: ଓଡ଼ିଶା ରାଜ୍ୟ କମିଟିର ପ୍ରତିବାଦ

ଭୁବନେଶ୍ୱର,୯।୮(ବ୍ୟୁରୋ): ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜାଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖିବାକୁ ବିରୋଧ କରିଛି ଦଳର ଓଡ଼ିଶା ରାଜ୍ୟ କମିଟି। ଏହା ଭାଜପାର ବେଆଇନ୍‌, ଅଗଣତାନ୍ତ୍ରିକତା, ଏକଛତ୍ରବାଦୀ ନୀତିକୁ ପ୍ରତିଫଳନ କରୁଛି ବୋଲି କମିଟିର ବରିଷ୍ଠ ନେତା ତଥା ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଉଭୟ ଜମ୍ମୁ-କଶ୍ମୀର ବିଧାନସଭାର ବିଧାୟକ ମହମ୍ମଦ ୟୁସୁଫ୍‌ ତାରିଗାମୀଙ୍କୁ ଭେଟିବା ଲାଗି ଯାଉଥିଲେ। ତାରିଗାମୀଙ୍କୁ ଗିରଫ କରାଯାଇଛି ଏବଂ ସେ ଅସୁସ୍ଥ ଅଛନ୍ତି। ଏଥିସହ ଉଭୟ ନେତା ଜମ୍ମୁ-କଶ୍ମୀରବାସୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।
ପ୍ରକାଶଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ୟେଚୁରୀ ସେଠାରେ ଦଳୀୟ ଗସ୍ତରେ ଯାଇଥିଲେ। ହେଲେ ତାଙ୍କୁ ବିମାନବନ୍ଦରରେ ଅଟକ ରଖାଯାଇଛି। ସେ ରାଜ୍ୟପାଳଙ୍କୁ ଉକ୍ତ ଗସ୍ତକୁ ନେଇ ଅନୁମତି ମାଗିଥିବା ଜଣାପଡ଼ିଛି।

Share