ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ନୀତି

ପୁରୀ ଅଫିସ, ୧୫ା୬: ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ଚମ୍ପକ ଦ୍ୱାଦଶୀ ନୀତି ଅର୍ଥାତ ବରକନ୍ୟାଙ୍କ ଗୁଆଲି ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ୱାଦଶୀକୁ ଚମ୍ପକ ଦ୍ୱାଦଶୀ କୁହାଯାଏ। ସକାଳ ଧୂପ ଏବଂ ଭୋଗମଣ୍ଡପ ନୀତି ବଢ଼ିବା ପରେ ମହାପ୍ରଭୁଙ୍କ ଆଲଟ ଲାଗି ହୋଇଥିଲା। ଏହାପରେ ୩ ବାଡ଼ରେ ମହାସ୍ନାନ ହୋଇ ନୂଆ ଲୁଗା ଲାଗି ହୋଇଥିଲା। ଘଟୁଆରୀ ଘରଠାରୁ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତ ଚନ୍ଦନ ବିଜେ କରାଇ ଆଣି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ଲାଗି କରାଇବା ପରେ ବେଶ ବଢ଼ିଥିଲା। ମଧ୍ୟାହ୍ନ ଧୂପ ସରି ପାଣି ପଡ଼ିଲା ପରେ ମଦମୋହନ ଓ ଶ୍ରୀଦେବୀ (ରୁକ୍ମିଣୀ) ବରକନ୍ୟା ଭିତରକୁ ବିଜେ ହୋଇଥିଲେ। ସେଠାରେ ବନ୍ଦାପନା ହୋଇଥିଲା। ବରକନ୍ୟା ଆଜ୍ଞାମାଳ ପାଇ ଝୁଲଣମଣ୍ଡପ ତଳେ ଥିବା ପାଲିଙ୍କିକୁ ବିଜେ କରିଥିଲେ। ବିମାନବଡ଼ୁମାନେ ବରକନ୍ୟାଙ୍କୁ ପାଲିଙ୍କିରେ ବଡ଼ଦେଉଳ ଚତୁଃପାର୍ଶ୍ୱରେ ଘେରାଏ ବୁଲାଇ ସିଂହଦ୍ୱାର ଦେଇ ଶ୍ରୀନଅରକୁ ବିଜେ କରାଇଥିଲେ। ଶ୍ରୀନଅରରେ ନୀତି ସମ୍ପନ୍ନ ହେବା ପରେ ମହାଜନ ସେବକ ବରକନ୍ୟାଙ୍କୁ ପାଲିଙ୍କିରେ ବିଜେ କରାଇଥିଲେ। ବିମାନ ବଡୁମାନେ ପାଲିଙ୍କି କାନ୍ଧେଇ ଜମ୍ବେଶ୍ୱରଙ୍କ ମନ୍ଦିରକୁ ନେଇଥିଲେ। ସେଠାରେ ପଞ୍ଚୁଗ୍ରାସୀ ନୀତି ଭୋଗ ଏବଂ ବନ୍ଦାପନା ହୋଇଥିଲା। ଏହାପରେ ବରକନ୍ୟା ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ସୂଚନାଥାଉ କି, ଏହି ଚମ୍ପକ ଦ୍ୱାଦଶୀ ନୀତି ରୁକ୍ମିଣୀ ବିବାହ ପରଦିନ ଅନୁଷ୍ଠିତ ହୋଇଥାଏ। ଗୁରୁବାର ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ ଅନୁଷ୍ଠିତ ହୋଇଥିଲା।

Share