ଶ୍ରୀମନ୍ଦିରରେ ପହଞ୍ଚିଲା ମକର ତାଡ଼

ପୁରୀ ଅଫିସ,୧୪ା୧: ଏକମାସ ବାପଘରେ ବିତାଇ ଶ୍ରୀମନ୍ଦିରକୁ ଫେରିଛନ୍ତି ଲକ୍ଷ୍ମୀ ଠାକୁରାଣୀ। ବୁଧବାର ମକର ସଂକ୍ରାନ୍ତି ଥିବାରୁ ମଙ୍ଗଳବାର ବଡ଼ଦେଉଳରେ ପହଞ୍ଚିଛି ମକର ତାଡ଼ । ମହାପ୍ରଭୁଙ୍କ ପାଖରେ ପବିତ୍ର ମକରସଂକ୍ରାନ୍ତିରେ ମକର ଚାଉଳ ଓ ମକର ଚଉରାଶି ଭୋଗ ଲାଗି ହେବ। ଏହି ମକର ତାଡ଼ରେ ହିଁ ମକର ଚାଉଳ ଭୋଗ କରାଯିବ। ମଙ୍ଗଳବାର ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ବଢିଲା ପରେ କୁମ୍ଭାର ବିଶୋୟୀ ସେବକମାନେ ବାଘମୁହଁା ବାନ୍ଧି ମା’ ଆଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ଘଣ୍ଟ, କାହାଳି ସହିତ ୫ଟି ମକର ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଇଛନ୍ତି। ମକର ତାଡ଼ ଶ୍ରୀମନ୍ଦିର ଭିତର ବେଢାରେ ଗୋଟିଏ ଥର ବୁଲାଇ ଅଚିନ୍ତା ପହଣ୍ଡି ରୋଷ ବେହେରଣଠାରେ ରଖାଯାଇଛି।