ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା କଟକଣା ଜୋର ଧରିଲା

ପୁରୀ ଅଫିସ,୧୭ା୨: ଶ୍ରୀମନ୍ଦିର ପରିସରକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିବା ଲାଗି ଏକାଧିକ ନିଷ୍ପତ୍ତି ହେଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ସ୍କ୍ବାଡ୍‌ ଗଠନ କରାଯାଇଥିବା ବେଳେ ଜରିମାନା ଆଦାୟର ବ୍ୟବସ୍ଥା ରହିଛି। ଏହାସତ୍ତ୍ବେ ବିଭିନ୍ନ ସମୟରେ ମନ୍ଦିର ପରିସରରେ ପାନଛେପ, ଗୁଟ୍‌ଖା ଖୋଳ ପଡିଥିବା ଦେଖିବାକୁ ମିଳୁଛି। ଶନିବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ମନ୍ଦିର ପରିସରରେ ପାନଛେପ ପଡିଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରଠାରୁ ଶିଥିଳ ପଡ଼ିଥିବା ପାନ, ଗୁଟ୍‌ଖା କଟକଣାକୁ ପୁଣି ଜୋର୍‌ଦାର କରାଯାଇଛି। ରବିବାର ଶ୍ରୀମନ୍ଦିର ଭିତରେ ପାନ ଖାଉଥିବାବେଳେ ଜଣେ ସେବାୟତ ଧରାପଡି ୫୦୦ ଟଙ୍କା ଜରିମାନା ଗଣିଛନ୍ତି। ଅନ୍ୟ ଜଣେ ସେବାୟତ ସ୍କ୍ବାଡ୍‌ଙ୍କୁ ଦେଖିବା ପରେ ପାନ ଢୋକିଦେବା ଚର୍ଚ୍ଚାର ବିଷୟ ହୋଇଛି।
ଶ୍ରୀମନ୍ଦିରରେ ସ୍ବଚ୍ଛତା ଏବଂ ଶୁଦ୍ଧତା ରକ୍ଷା ଦିଗରେ ୫-ଟି ସଚିବଙ୍କ ତାଗିଦ ପରେ ଏବେ ଶ୍ରୀମନ୍ଦିର ସ୍କ୍ବାଡ୍‌ଙ୍କଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀମାନେ ଚଳଚଞ୍ଚଳ ହୋଇପଡିଛନ୍ତି। ମନ୍ଦିର ପରିସର ଯଦି କୌଣସି ସ୍ଥାନରେ ପାନଛେପ ପଡିଛି, ସେଥିରେ ଚୂନ ମରାଯାଉଛି। ଏପରି କି ସ୍କ୍ବାଡ୍‌ ସଦସ୍ୟମାନେ ବୁଲି ବୁଲି ପାନ, ଗୁଟ୍‌ଖା କିଏ ଖାଇଛି କି ନାହିଁ ତାହାର ଯାଞ୍ଚ କରୁଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଧରପଗଡ଼ ଶନିବାର ଦିନତମାମ୍‌ ଦେଖିବାକୁ ମିଳିଥିଲା।
ସୂଚନାଥାଉ କି, ଗତବର୍ଷ ଜୁଲାଇ ୨୯ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ପାନ, ଗୁଟ୍‌ଖାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା। କୌଣସି ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟ୍‌ଖା, ପାନ ମସଲା ଖାଇ ବା ଧରି ମନ୍ଦିର ଭିତରକୁ ଯାଇପାରିବେ ନାହିଁ। ପ୍ରବେଶ ପଥରେ ଯାଞ୍ଚ ହେବ। ପାନ, ଗୁଟ୍‌ଖା, ପାନ ମସଲା ଖାଇ କେହି ମନ୍ଦିର ଭିତରକୁ ପ୍ରବେଶ କଲେ ତାଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ଲାଗି ନିଷ୍ପତ୍ତି ହୋଇଥିଲା। ଚାରିଦ୍ୱାରରେ ଭକ୍ତଙ୍କୁ ସଚେତନ କରିବା ଲାଗି ସୂଚନା ଫଳକ ଲଗାଯିବା ସହ ଗତବର୍ଷ ଅଗଷ୍ଟ ପହିଲାରୁ ଏହି କଟକଣାକୁ କଡାକଡି କରାଯାଇଥିଲା। କିନ୍ତୁ କିଛିଦିନ ପରେ ପୁଣି ଏହା ଶିଥିଳ ପଡି ଯାଇଥିଲା।

Share