ଶ୍ରୀମନ୍ଦିରରେ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ: କଡ଼ ଲେଉଟାଇଲେ ଶୟନ ଠାକୁର

ପୁରୀ ଅଫିସ, ୧୦।୯: ଶ୍ରୀମନ୍ଦିରରେ ସୋମବାର ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହୋଇଛି। କଡ଼ ଲେଉଟାଇଛନ୍ତି ଶୟନ ଠାକୁର। ମଙ୍ଗଳବାର ମହାପ୍ରଭୁଙ୍କ ବାମନ ବେଶ ଏବଂ ଶ୍ରୀନଅରରେ ସୁନିଅଁା ନୀତି ଅନୁଷ୍ଠିତ ହେବ।
ସୋମବାର ସନ୍ଧ୍ୟା ଆଳତି ବଢିବା ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିଥିଲେ। ଶ୍ରୀଅଙ୍ଗରେ ଚନ୍ଦନ ଲାଗି ହେବା ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ କାଢି ମଦନମୋହନଙ୍କୁ ପ୍ରଦାନ କରିଥିଲେ। ଏହାପରେ ମଦନ ମୋହନ ପାଲିଙ୍କିରେ ବଡଦେଉଳ ବେଢାରେ ବୁଲିଥିଲେ। ଜୟ ବିଜୟ ଦ୍ୱାରରେ ଏକାଦଶୀ ବନ୍ଦାପନା ପରେ ମଦନମୋହନ ଦକ୍ଷିଣୀଘରକୁ ବିଜେ ହୋଇଥିଲେ। ବଲ୍ଲଭ ବଡ଼ସିଂହାର ଭୋଗ ପରେ ପାର୍ଶ୍ୱ ପରିବର୍ତ୍ତନ ନିମନ୍ତେ ଖଟଶେଯ ଘର ଉପରେ ନିଶୁଣି ପକାଯାଇ ଥିଲା। ମୁଦିରସ୍ତ ଏହା ଉପରକୁ ଯାଇ ଦୁଆର ମୁଦ ଭାଙ୍ଗି ଶୟନ ଠାକୁରଙ୍କ ପେଡ଼ାକୁ ଖୋଲିଥିଲେ। ମୁଦିରସ୍ତ ଶୁକ୍ଳ ଫୁଲ ତିନି ଆଞ୍ଜୁଳା ସମର୍ପଣ କଲା ପରେ ଶୟନ ଠାକୁର କଡ଼ ଲେଉଟାଇଥିଲେ। ପୂର୍ବରୁ ଶୟନ କାଳରେ ଠାକୁରଙ୍କ ମୁଖ ଦକ୍ଷିଣ ଦିଗକୁ ଥିବାବେଳେ ପରିବର୍ତ୍ତନ କାଳରେ ମୁଖ ଉତ୍ତର ଦିଗକୁ କରାଯାଇଥିଲା। ମୁଦିରସ୍ତ ବନ୍ଦାପନା କଲା ପରେ ପେଡା ବନ୍ଦ କରି ଦୁଆର ମୁଦ ଦେଇ ତଳକୁ ଓହ୍ଲାଇଥିଲେ। ବଲ୍ଲଭ ବଡ଼ ସିଂହାର ଭୋଗରେ ଠାକୁରଙ୍କ ଲାଗି ହୋଇଥିବା ୬ମୂର୍ତ୍ତି ଅଳଙ୍କାର ଓଲାଗି କରାଯାଇଥିଲା। ଏହାପରେ ଖଟଶେଯ ବିଜେ କରାଇ ମହାପ୍ରଭୁଙ୍କ ପହୁଡ଼ ନୀତି ସମ୍ପନ୍ନ ହୋଇଥିଲା। ସୂଚନାଯୋଗ୍ୟ, ଏହି ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ।

Share