ଶ୍ରୀମନ୍ଦିରରେ ସରିଲା ନନ୍ଦୋତ୍ସବ: ଆଜି ଠାକୁରଙ୍କ ବନଭୋଜି ବେଶ

ପୁରୀ ଅଫିସ,୨୫।୮: ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଶନିବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ନନ୍ଦୋତ୍ସବ। ଏହି ନୀତି ଦେଖିବା ଲାଗି ଭକ୍ତଙ୍କ ଭିଡ଼ ହୋଇଥିଲା। ରବିବାର ଠାକୁରଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ।
ନନ୍ଦୋତ୍ସବ ଲାଗି ଶନିବାର ମଙ୍ଗଳ ଆଳତି ବଢିବା ପରେ ମହାଜନ ସେବକମାନେ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ବିଜେ କରାଇଥିଲେ। ଦକ୍ଷିଣ ଘରୁ ମଦନ ମୋହନ ଆସି ସେହି ଦୋଳିରେ ବିଜେ ହୋଇଥିଲେ। ମହାସ୍ନାନ ନୀତି ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି କରାଇଥିଲେ। ଏହାପରେ ମହାପ୍ରଭୁଙ୍କ ସର୍ବାଙ୍ଗ ହୋଇ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ପୁଷ୍ପାଳକ ସେବକମାନେ ଦେବୀ ସୁଭଦ୍ରାଙ୍କୁ ଆଜ୍ଞାମାଳ ଓ କର୍ପୁର ଲାଗି କରାଇଥିଲେ। ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଷଠି ମାର୍କଣ୍ଡୀ ପୂଜା ପରେ ପାଣି ପଡ଼ିି ଟେରାବନ୍ଧା ହୋଇଥିଲା। ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ଶୁଦ୍ଧସୁଆର ଦୁଇଟି ପିତ୍ତଳ ବଟାରେ ମଙ୍ଗଳାର୍ପଣ ସାମଗ୍ରୀ ରଖିଥିଲେ। ପୂଜାପଣ୍ଡା, ପତିମହାପାତ୍ର ଏବଂ ମୁଦିରସ୍ତ ଶ୍ରୀଜଗନ୍ନାଥ ବାଡ଼ ଓ ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରି ୩ ବାଡ଼ରେ ବନ୍ଦାପନା କରିଥିଲେ। ପତି ମହାପାତ୍ର ଭଣ୍ଡାର ଘରୁ ରୁପାବଟାରେ ଦୁର୍ଗାଦେବୀଙ୍କୁ ବିଜେ କରାଇ ଆଣିଥିଲେ। ପତି ମହାପାତ୍ର ଦେବୀ ଦୁର୍ଗାଙ୍କୁ ଜଗମୋହନ ଦୋଳି ସମ୍ମୁଖ ଖଟୁଲି ଉପରେ ବିଜେ କରାଇଥିଲେ। ମହାସ୍ନାନ ଓ ଶୀତଳ ଭୋଗ ନୀତି ସମ୍ପନ୍ନ ହୋଇଥିଲା। ଦେବୀ ଦୁର୍ଗାଙ୍କୁ ସାତପାହାଚ ଦ୍ୱାର ଡମ୍ବୁରୁ ଉପରକୁ ବିଜେ ପରେ ବିଜୁଳି କନ୍ୟା ନୀତି ସମ୍ପନ୍ନ ହୋଇ ଦେବୀ ଭଣ୍ଡାରକୁ ବାହୁଡ଼ା ବିଜେ କରିଥିଲେ। ଏହାପରେ ରାମ, କୃଷ୍ଣ ଓ ମଦନମୋହନ ଖଟ ଉପରକୁ ବିଜେ କରିଥିଲେ। ସେଠାରେ ମାଜଣା ଓ ଫୁଲ ଲାଗି ହେବା ପରେ ସାତପାହାଚ ଦ୍ୱାରରେ ଥିବା ପାଲିଙ୍କିରେ ଯାଇ ଲକ୍ଷ୍ମୀମନ୍ଦିର ଜଗମୋହନ ଖଟରେ ବିଜେ କରିଥିଲେ। ଭିତରଚ୍ଛ ମହାପାତ୍ର ନନ୍ଦ ରାଜା ଭାବେ ଶ୍ରୀନଅରକୁ ଯାଇ ଫେରିଆସି ସ୍ନାନ ମଣ୍ଡପରେ ବସିଥିଲେ। ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ଦେଇଥିଲେ। ପୁତ୍ରଙ୍କୁ ନନ୍ଦରାଜା କ୍ଷୀର ସମର୍ପଣ କରିବା ସହ ବନ୍ଦାପନା କରିଥିଲେ। ଦୋଳିରୁ ଠାକୁରମାନେ ଦକ୍ଷିଣ ଘରକୁ ବିଜେ ହୋଇଥିଲେ। ରବିବାରଠାରୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ନୀତି ହେବ। ସେହିପରି ରବିବାର ଠାକୁରଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ।

Share