Advertisement

ଶ୍ରୀମନ୍ଦିରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ : ଗୋଇନ୍ଦା ରିପୋର୍ଟ ପରେ ସୁରକ୍ଷା କଡ଼ାକଡ଼ି

ପୁରୀ ଅଫିସ, ୧।୮ : ଶ୍ରୀମନ୍ଦିର ଅସୁରକ୍ଷିତ। ଆତଙ୍କବାଦୀମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିପାରନ୍ତି। ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ଏମିତି ଏକ ରିପୋର୍ଟ ଗୁରୁବାର ପୁରୀ ଜିଲା ପ୍ରଶାସନ ନିକଟକୁ ଆସିଛି। ରିପୋର୍ଟ ପାଇବା ପରେ ପ୍ରଶାସନ ଓ ପୁରୀ ପୋଲିସ ତତ୍ପର ହୋଇଉଠିଛି। ଶ୍ରୀମନ୍ଦିରର ସୁରକ୍ଷାକୁ କଡ଼ା କଡ଼ି କରାଯାଇଛି। ଗୁରୁବାର ପୁରୀ ଏସ୍‌ପି ଉମାଶଙ୍କର ଦାଶ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି।
ଶ୍ରୀମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ସୁରକ୍ଷା ଦାୟିତ୍ୱରେ ରହୁଥିବା ପୋଲିସ ଅଧିକାରୀଙ୍କ ସହ ଏସ୍‌ପି ଆଲୋଚନା କରିଛନ୍ତି। ଚାରିଦ୍ୱାରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଡ୍ୟୁଟିରେ ରହୁଥିବା ପୋଲିସ କର୍ମଚାରୀମାନେ ନିଜ ସ୍ଥାନ ଛାଡିବେ ନାହିଁ। ସେହିପରି ଡ୍ୟୁଟି ସରିବାପରେ ଅନ୍ୟ ଜଣେ ଡ୍ୟୁଟିକୁ ନ ଆସିବା ପର୍ଯ୍ୟନ୍ତ ନିଜ ସ୍ଥାନରୁ ନ ହଟିବାକୁ କୁହାଯାଇଛି। ଶ୍ରୀମନ୍ଦିର ଚାରିପଟେ କୌଣସି ସନ୍ଦିଗ୍ଧ ବ୍ୟକ୍ତି ବିଶେଷ ବୁଲୁଥିବା ନଜରକୁ ଆସିଲେ ତୁରନ୍ତ ଉପରସ୍ଥିତ ଅଧିକାରୀଙ୍କୁ ସୂଚନା ଦେବାକୁ ଏସ୍‌ପି ତାଗିଦ୍‌ କରିଛନ୍ତି। ଏ ସମ୍ପର୍କରେ ଏସ୍‌ପି ଦାଶ କହିଲେ ଯେ, ଶ୍ରୀମନ୍ଦିରରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିଛି। ନିୟମିତ ବ୍ୟବଧାନରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥାଏ। ଏହା ଏକ ରେଗୁଲାର ପ୍ରୋସେସ୍‌। ଶ୍ରୀମନ୍ଦିରରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ଲାଗି ପୁରୀ ପୋଲିସ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ କୋଷ୍ଟଗାର୍ଡ ଦ୍ୱାରା ପାଟ୍ରୋଲିଂ ଚାଲିଛି। ସହରକୁ ପ୍ରବେଶ କରୁଥିବା ଯାନାବାହନ ଯାଞ୍ଚକୁ କଡାକଡି କରାଯାଇଛି। ଗୋଇନ୍ଦା ରିପୋର୍ଟ ସମ୍ପର୍କରେ ଅଧିକ କିଛି କହିବାକୁ ଏସ୍‌ପି ମନାକରିଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share