ଶ୍ରୀମନ୍ଦିରର ଅନ୍ତରୀଣ ବଜେଟ

ପୁରୀ ଅଫିସ,୩୧ା୩: କରୋନା ଯୋଗୁ ଚଳିତବର୍ଷ ଶ୍ରୀମନ୍ଦିର ବଜେଟ ବିଳମ୍ବ ହୋଇଛି। ସୋମବାର ଅର୍ଥ ସବ୍‌ କମିଟି ବୈଠକରେ ୨୦୨୦-୨୧ ଆର୍ଥିକବର୍ଷ ଲାଗି କେବଳ ଅନ୍ତରୀଣ ବଜେଟ୍‌ ଆଗତ ହୋଇଛି। ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ଏହାକୁ ଆଇନ ବିଭାଗକୁ ପଠାଯିବ। ଆଇନ ବିଭାଗର ଅନୁମତି ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ଏହି ଅନ୍ତରୀଣ ବଜେଟରେ ଏପ୍ରିଲ, ମେ ଓ ଜୁନ୍‌ ମାସ ଲାଗି ବଜେଟ୍‌ ବ୍ୟୟବରାଦ ଚୂଡ଼ାନ୍ତ ହୋଇଛି। ଗତ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ, ମେ ଓ ଜୁନ୍‌ରେ ଯେଉଁପରି ଭାବେ ଖର୍ଚ୍ଚ କରାଯାଇଥିଲା ଚଳିତ ଆର୍ଥିକ ବର୍ଷରେ ଏହି ୩ ମାସ ସେହିପରି ଖର୍ଚ୍ଚ ହେବ। କରୋନା ସ୍ଥିତିରେ ସୁଧାର ଆସିବା ପରେ ଶ୍ରୀମନ୍ଦିରର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି।