ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ବ୍ରାହ୍ମଣଙ୍କ ବିକ୍ଷୋଭ

ପୁରୀ ଅଫିସ,୧୬ା୧: ଶ୍ରୀମନ୍ଦିର ଆନନ୍ଦ ବଜାରରୁ ବ୍ରାହ୍ମଣଙ୍କୁ ବାହାର କରିଦିଆଯିବାକୁ ନେଇ ବ୍ରାହ୍ମଣଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ବୁଧବାର ଆନନ୍ଦ ବଜାର ବ୍ରାହ୍ମଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କମିଟିର ଆବାହକ ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେ ବ୍ରାହ୍ମଣମାନେ ଉପବାସ ରହି ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମନ୍ଦିରରୁ ବ୍ରାହ୍ମଣଙ୍କୁ ଯଦି ପ୍ରଶାସନ ବାହାର କରିଛି ତେବେ ଶ୍ରଦ୍ଧାଳୁମାନେ ଏଥର ମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ବ୍ରାହ୍ମଣ ଭୋଜନ ଦିଅନ୍ତୁ ବୋଲି କହି ମହାପ୍ରସାଦ ଏବଂ ୧୧ ଟଙ୍କା ଧରି ଅଭିନବ ଧାରଣା ଦେଇଥିଲେ। ଆବାହକ ରଥ କହିଛନ୍ତି, ଆନନ୍ଦ ବଜାରରେ ଯେଉଁ ବ୍ରାହ୍ମଣମାନେ ବ୍ରାହ୍ମଣ ଭୋଜନ କରନ୍ତି ସେମାନଙ୍କୁ ଗତ କିଛିଦିନ ତଳେ ମନ୍ଦିର ପ୍ରଶାସନ ପୋଲିସ ଲଗାଇ ବାହାର କରିଦେଇଛି । ମନ୍ଦିରରୁ ସେମାନଙ୍କୁ ତଡ଼ି ଏକପ୍ରକାରର ଅପମାନିତ କରାଯାଇଛି। ସନାତନ ଧର୍ମରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ମୂଳ ଉତ୍ସ। ଏହାପରେ ବ୍ରାହ୍ମଣ। ମନ୍ଦିରରୁ ବ୍ରାହ୍ମଣଙ୍କୁ କେବେ ଅଲଗା କରିହେବ ନାହିଁ। ଶ୍ରୀମନ୍ଦିରରେ ପ୍ରତ୍ୟହ ଶତାଧିକ ଶ୍ରାଦ୍ଧ କର୍ମ ହୁଏ। ଶହ ଶହ ଶ୍ରଦ୍ଧାଳୁ ଶ୍ରାଦ୍ଧ କର୍ମ କରିବା ସହ ବ୍ରାହ୍ମଣଙ୍କୁ ଭୋଜନ ଦେଇ ଆଶୀର୍ବାଦ ନେଇଥାନ୍ତି। କିନ୍ତୁ ଶୃଙ୍ଖଳା ଆଳରେ ଆନନ୍ଦ ବଜାରରୁ ବ୍ରାହ୍ମଣଙ୍କୁ ବାହାର କରାଯାଇ ହିନ୍ଦୁ ଧର୍ମ ପରମ୍ପରା ପ୍ରତି ଆଘାତ ଦିଆଯାଇଛି। ଫଳରେ ପ୍ରଶାସନ ବିରୋଧରେ ବ୍ରାହ୍ମଣମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଯେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କୁ ଆନନ୍ଦ ବଜାର ଭିତରକୁ ନ ନେଇଛି ସେ ପର୍ଯ୍ୟନ୍ତ ବ୍ରାହ୍ମଣମାନେ ଉପବାସ ରହି ଏଭଳି ଆନ୍ଦୋଳନ ଚଳାଇବେ ବୋଲି ରଥ କହିଛନ୍ତି।

Share