ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗ: ବିରୋଧ ଯେତିକି, ସ୍ବାଗତ ସେତିକି

ପୁରୀ ଅଫିସ,୧୮।୮: ରାଜ୍ୟ ସରକାରଙ୍କ ଫୋକସରେ ପୁରୀ। ନିକଟରେ ପୁରୀ ସହରର ବିକାଶ ପାଇଁ ୨୬୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ପରେ ପରେ ଏବେ ସହରର ଚିତ୍ର ବଦଳାଇବାକୁ କରିଛନ୍ତି ଯୋଜନା। ଏଥିପାଇଁ ଶୁକ୍ରବାର ରାଜ୍ୟ କ୍ୟାବିନେଟରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଜଷ୍ଟିସ ବି.ପି. ଦାସ କମିଶନଙ୍କ ସୁପାରିସ ଅନୁଯାୟୀ, ଶ୍ରୀମନ୍ଦିରର ସୁରକ୍ଷା ଲାଗି ମେଘନାଦ ପାଚେରି ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ କରାଯିବାକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଉଚ୍ଛେଦ ପାଇଁ ଆବଶ୍ୟକ ସର୍ଭେ ଏବଂ ଜମି ଅଧିଗ୍ରହଣ ଲାଗି ପୁରୀ ଜିଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ହେଲେ କ୍ଷତିଗ୍ରସ୍ତ ଲୋକେ ଏବଂ ସଂସ୍ଥାକୁ ଥଇଥାନ କରାଯିବା ସହିତ କ୍ଷତିପୂରଣ ଦିଆଯିବ। ହେଲେ ଏହି ଉଚ୍ଛେଦ ନିଷ୍ପତ୍ତିକୁ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକେ, ଶ୍ରୀମନ୍ଦିରର ସେବାୟତ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଶ୍ରୀମନ୍ଦିରର ସୁରକ୍ଷା ଭଳି ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅନେକେ ସ୍ବାଗତ କରୁଛନ୍ତି।
ବିରୋଧ କରୁଥିବା ଲୋକମାନଙ୍କ କହିବା କଥା ହେଉଛି ମଠ, ମନ୍ଦିରକୁ ନେଇ ହିଁ ପୁରୀ ସହର ସମୃଦ୍ଧ। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ମଠ, ବହୁସଂଖ୍ୟକ ମନ୍ଦିର, ଶହ ଶହ ଦୋକାନ, ବାସଗୃହ ଓ ସେବାୟତଙ୍କ ଘର ଭାଙ୍ଗିବ। ଶ୍ରୀଜଗନ୍ନାଥ ସେନାର ଆବହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ସରକାର କ’ଣ ପାଇଁ ହଠାତ୍‌ ଏଭଳି ଜମି ଅଧିଗ୍ରହଣ ପାଇଁ ମନ ବଳାଇଛନ୍ତି ଏହା ପ୍ରଥମେ ସ୍ପଷ୍ଟ କରିବା ଦରକାର। ଯଦି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏହା କରାଯାଉଛି ତେବେ ପ୍ରଥମେ ଶ୍ରୀମନ୍ଦିରକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଉ। ମଠ, ମନ୍ଦିରକୁ ନେଇ ପୁରୀ ସହରର ଐତିହ୍ୟ ସମୃଦ୍ଧ। ହେଲେ ସରକାର ଐତିହ୍ୟକୁ ଭାଙ୍ଗିରୁଜି ଦେବାକୁ ମନସ୍ଥ କରିଛନ୍ତି। ଅନ୍ୟପକ୍ଷରେ ଏହି ନିଷ୍ପତ୍ତି ନେବା ପୂର୍ବରୁ ଜନଶୁଣାଣି କରାଯାଇ ନାହିଁ ବୋଲି ପ୍ରିୟଦର୍ଶନ କହିଛନ୍ତି। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ସରକାର ଏକପାଖିଆ ଭାବେ ତାଙ୍କ ନିଷ୍ପତ୍ତି ପୁରୀବାସୀଙ୍କ ଉପରେ ଲଦି ଦେଉଛନ୍ତି। ଶ୍ରୀମନ୍ଦିରର ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ ନ କରି ୭୫ ମିଟର ମଧ୍ୟରେ ଯାହା ଆସିବ ତାହା ଭଙ୍ଗାଯିବା ଗ୍ରହଣୀୟ ନୁହେଁ। ପୁରୁଷ ପୁରୁଷ ଧରି ଘର କରି ରହିଥିବା ଲୋକଙ୍କୁ ସେମାନଙ୍କ ଭିଟାମାଟିରୁ ଉଚ୍ଛେଦକୁ କେବେ ବରଦାସ୍ତ କରାଯିବ ନାହିଁ। ବ୍ୟକ୍ତିଗତ ଭାବେ ସେ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌କୋର୍ଟ ଯିବେ ବୋଲି ବିନାୟକ କହିଛନ୍ତି।

Share