ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଠିକ୍‌, ସମସ୍ତେ ସହଯୋଗ କରିବା ଦରକାର କହିଲେ ଆମିକସ୍‌ କ୍ୟୁରି

ପୁରୀ ଅଫିସ,୭।୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କ୍ଲିନ୍‌ଚିଟ୍‌। ଶୁକ୍ରବାର ଜିଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ସରକାରଙ୍କ ନିଷ୍ପତ୍ତିକୁ ଠିକ୍‌ ବୋଲି କହିଛନ୍ତି। ଯେଉଁ ପଦକ୍ଷେପ ନିଆଯାଉଛି, ତାହା ସ୍ବାଗତଯୋଗ୍ୟ। ସମସ୍ତଙ୍କ ସହ ଆଲୋଚନା ଓ ସହମତି ଭିତ୍ତିରେ ଏହା କରାଯାଉଛି। ଏଣୁ ସମସ୍ତେ ଏହାକୁ ସହଯୋଗ କରିବା ଦରକାର ବୋଲି ସେ କହିଛନ୍ତି।

ସକାଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଆମିକସ୍‌ କ୍ୟୁରି ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନୁଧ୍ୟାନ ଲାଗି ଆସିଥିଲୁ। ପରିଚାଳନା କମିଟି ସହ ଆଲୋଚନା କଲୁ। ସରକାର ଶ୍ରୀମନ୍ଦିର ସୁରକ୍ଷା ଓ ବିକାଶ ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସ୍ବାଗତ ଯୋଗ୍ୟ। ସମସ୍ତଙ୍କ ସହ ଆଲୋଚନା ଓ ସହମତି ଭିତ୍ତିରେ ଏହା କରାଯାଉଛି। ଏଥିରେ ସମସ୍ତ ସହଯୋଗ କରିବା ଦରକାର। ଆସନ୍ତା ବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାର ରହିଛି। ପୁରୀରେ ପ୍ରାୟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ମେଘନାଦ ପାଚେରୀର ୭୫ ମିଟର ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହେବା ପରେ ଉଭୟ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଲାଗି ପୁରୀ ଆସିଛନ୍ତି। ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ସେ ସୁପ୍ରିମକୋର୍ଟରେ ତାଙ୍କ ରିପୋର୍ଟ ଦାଖଲ କରିବେ।

Share